Unknown

ସୁଦାମା ଦାରିଦ୍ର୍ୟ ଭଞ୍ଜନ ବା ସଖା ପ୍ରେମ ଗୀତାଭିନୟ

ସୁଦାମା ଦାରିଦ୍ର୍ୟ ଭଞ୍ଜନ ବା ସଖା ପ୍ରେମ ଗୀତାଭିନୟ

ବାଳକୃଷ୍ଣ ଗ୍ରନ୍ଥାବଳୀ

ଶ୍ରୀ ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ସୁଦାମା ଗୀତ ଗାଇ ଗାଇ ପ୍ରବେଶ

(କହରେ ଉଇଁବ ନାହିଁ- ବୃତ୍ତେ)

 

ହରି ହେ ଅଖିଳ ବ୍ରହ୍ମାଣ୍ଡ ଜୀବନ

ତାରଣ-କାରଣ            ଭବଭୟ-ବାରଣ

ମନମୋହନ ଘନଶ୍ୟାମ । ପଦ।

ହେ ନନ୍ଦ-ନନ୍ଦନ            ଯଶୋଦା-ଜୀବନ

କର ତବ ସୁଧା ଦାନ ।

 

ଭକ୍ତ ଗଣ୍ଠିଧନ            ଶ୍ରୀରାଧାରମଣ

ନଟବର ଅଭିରାମ ।୧।

ମୁରଲୀ ଅଧର            ଶ୍ୟାମ କଳେବର

ପରଂବ୍ରହ୍ମ ଜନାର୍ଦ୍ଦନ ।

ଏ ବାଳ ଅଧମ            ଆଶ୍ରେ ତୋ ଚରଣ

ଦିଅ ବାରେ ଦରଶନ ।

 

 

ଆହା ହରିନାମଟି କି ମଧୁର, ତୁଣ୍ଡରେ ଥିଲେ କ୍ଷୁଧା, ତୃଷା ଏକାବେଳକେ ଦୂର ହୋଇଯାଏ, ଏକା ନାମ କାହିଁକି ସେ ଲାବଣ୍ୟ ରୂପରେ ମଧ୍ୟ ମାଧୁରୀ ଅଛି, ଗୁଣରେ ମଧ୍ୟ ତତୋଽଧିକ, ସେ ନବନୀରଦ-ନିନ୍ଦିତ କାନ୍ତି, ସେ ତ୍ରିଭଙ୍ଗିମା ଠାଣି ଦେଖି ଭାବୁକ ଭାବରେ, ପ୍ରେମିକ ପ୍ରେମରେ, ଭକ୍ତ ଭକ୍ତିରେ, ବିହ୍ୱଳିତ ହୋଇ ନିଶ୍ଚୟ ଟଳି ପଡ଼ିବ-। ଆହା ! ସେ କମନୀୟ କାନ୍ତିରେ କି ମୋହନ ଶକ୍ତି ସନ୍ନିହିତ ଅଛି । ପ୍ରଭୋ ! ସତେ କ’ଣ ଏ ଦାସ ଆଉ ସେ ପଦ-ପଙ୍କଜରେ ଶିର ଲଗାଇବ ।

 

 

 

(ତାଳି ମାରି ମାରି)

 

ନବ ନୀରଦ ନିନ୍ଦିତ କାନ୍ତି ବରଂ,

ନବ କିଶୋର ନାଗର ରୂପ ବରଂ,

ନୀଳ ଅମ୍ୱୁଜ ବଙ୍କିମ ନେତ୍ର ଯୁଗଂ,

ଭଜ କୃଷ୍ଣ ଗୋବିନ୍ଦ ଶ୍ରୀ ନନ୍ଦସୁତଂ ।୧।

 

ଭ୍ରୁ ଭଙ୍ଗିମ ରଙ୍ଗିମ ଇନ୍ଦ୍ରଧନୁଂ,

ମୁଖଚନ୍ଦ୍ର ବିନିନ୍ଦିତ କୋଟି ବିଧୁଂ,

ମୃଦୁ ହାସ ମାଧୁର୍ଯ୍ୟ ଲାବଣ୍ୟ ଯୁତଂ,

ଭଜ କୃଷ୍ଣ-ଗୋବିନ୍ଦ ଶ୍ରୀ ନନ୍ଦସୁତଂ ।

 

ସୁମତି-

ଆହା ହରି ନାମଟି ନେବାକୁ ଏକା ବେଶ୍‌ ସମୟ ମିଳିଛି । ଏମିତିଆ କରମକୋଢ଼ି ମଣିଷ ଦୁନିଆରେ ଥାନ୍ତି, ତିନି ଦିନେ ଥରେ ଚୁଲି ଜଳୁ ନାହିଁ; ଭିତର ଶାଳରେ ହାଣ୍ଡିଗୁଡ଼ାକ ମାଙ୍କଡ଼ଚିତ୍‌ ମାରୁଛନ୍ତି, ୟାଙ୍କର ପୁଣି ହରି ମନ୍ଦିର ଚିତା କାଟି ମାଳା ଭଜନ ହେଉଛି । ହଇହେ ! ଭଜନରୁ ଉଠି ଭୋଜନ କ’ଣ ଅଛି ନା ?

 

 

ସୁଦାମା-

କିଏ ସୁମତି ! ଯା’ର ହରିନାମ ଭଜନ ତା’ର ଭୋଜନରେ କି ଲୋଡ଼ା । ମୁଁ ତ ହରିନାମ-ସୁଧା ପିଉଛି, ମୋର କ୍ଷୁଧା ବା ହେବ କାହୁଁ ?

 

 

ସୁମତି-

ଏ ତ ସୁଧାପିଆ ନୁହେଁ, ମାଇପଠାରୁ ଶୋଧା ଶୁଣିବା କଥା । କିହୋ ! ଦିନତ ଆସି ପହରେ ପାଞ୍ଚ ଘଡ଼ି ହେଲାଣି, ନାମ ପିଉଛ କ’ଣ ? ଗ୍ରାମକୁ ଭିକମାଗି ଯିବ କେତେବେଳେ ? ପେଟରେ ଓଦାକନା ଦେଇ ନାମ ଜପିଲେ ସେ ନାମରେ ଫଳ କ’ଣ ? କଥାରେ ଅଛି ପରା ‘‘ଆତ୍ମା କୁଶଳେ ସର୍ବ ସିଦ୍ଧି ।’’

 

 

ସୁଦାମା-

ସୁମତି ! ହରିନାମ ସୁଧାର ଯେ ସ୍ୱାଦୁ ଉପଭୋଗ କରିଛି ସେ ଶୋଧା କ୍ଷୁଧାକୁ ଖାତିର୍‌ କରେ ନାହିଁ ।

 

 

 

[ଭଜନ]

(ଜୟ ଜୟ ଶ୍ରୀରାଧାରମଣ- ବୃତ୍ତେ)

 

ଭଜ ଭଜ ମନ ଶ୍ରୀମଧୁସୂଦନ

ଯଶୋଦାନନ୍ଦନ ମୁରଲୀଧାରୀ ।

ଜୟ ଜନାର୍ଦ୍ଦନ ନିତ୍ୟ ନିରଞ୍ଜନ

ଗରବ-ଗଞ୍ଜନ କେଶୀ କଂସାରି । ପଦ ।

ଭକତ ରଞ୍ଜନ, ଜଗତ ବନ୍ଦନ

ଦୁଃଖ ନିବାରଣ ବ୍ରଜବିହାରୀ ।

ପତିତ ତାରଣ ଦୂରିତ ବାରଣ

ଆର୍ତ୍ତ ବିନାଶନ ସଙ୍କଟହାରୀ ।

ପାତକ ଧ୍ୱଂସନ, ଗରୁଡ଼ ଆସନ

ଅନଳ ଭକ୍ଷଣ ନିକୁଞ୍ଜଚାରୀ ।

ରାଧା ପ୍ରାଣଧବ, ମୁକୁନ୍ଦ ମାଧବ

ଯୋଗୀନ୍ଦ୍ର ଦୁର୍ଲ୍ଲଭ ଯେ ଦଇତ୍ୟାରି ।

ଯମୁନାକୂଳିଆ ପୀତଦୁକୂଳିଆ

ବରଜଧୂଳିଆ ମାନ ଭିକାରୀ ।

କଦମ୍ୱ ମୂଳିଆ, ଶିଖଣ୍ଡ ଚୂଳିଆ

ନନ୍ଦ ଦୁଲାଳିଆ ପ୍ରେମ ବେପାରି ।

ଶରଣ ବତ୍ସଳ, ଅବଜର ବଳ

ଚିକ୍‌କଣ ଶ୍ୟାମଳ, କାନ୍ତି ମୁରାରି ।

ଗୋବତ୍ସ-ପାଳକ, ଶ୍ରୀବ୍ରଜ ବାଳକ

ସଂସାର ଚାଳକ, ଯଶ ବିସ୍ତାରି ।

 

ଭଜେ ବାଳକୃଷ୍ଣ ହରେ ରାମକୃଷ୍ଣ

ଖଣ୍ଡିବେ ମୋ କଷ୍ଟ, ଚିତ୍ତେ ବିଚାରି ।

ନାହିଁ ଆନଭାବ ତେବେ ଭବାର୍ଣ୍ଣବ

ଅଥଳୁ ସେ ଦେବ କରିବେ ପାରି ।

 

 

 

ସୁମତି-

ଆଚ୍ଛା କହିଲ ଭଲା, କେଉଁ ଶାସ୍ତ୍ରରେ ଅଛି ପର ଝିଅଟିଏ ବେକରେ ବାନ୍ଧି ପୁଅ ଝିଅ ଗଡ଼େଇ ଦେଇ ହରିନାମ ବସି ଜପିବ, ମୁଁ ତ ଆଉ ଏ କ୍ଷୁଧାର ଜ୍ୱାଳା ସହି ପାରିବି ନାହିଁ ।

 

 

ସୁଦାମା-

ଉପାୟ କଣ ମୋତେ କହ, ଯେପରି ହରିନାମ ନେବାକୁ ଟିକିଏ ହେଲେ ଫୁରୁସତ ମିଳିବ !

 

 

ସୁମତି-

ଉପାୟ କ’ଣ ମ, ଯାଉନାହଁ ତିନି ଦିନକୁ କମେଇ ଦେଇ ଆଖିବୁଜି ମାଳା ଧରି ବସିଥିବ, ଆଉ ଗୋଟିଏ କଥା କରିବ ?

 

 

ସୁଦାମା-

କହ ।

 

 

ସୁମତି-

[ଗୀତ]

(ସ୍ୱପନେ ଯା- ବୃତ୍ତେ)

 

ଘେନ ନାଥ ଦୀନ ! ନିବେଦନ ।

ଧ୍ୟାନ ତେଜି ଧନ ଆଶେ

ଯାଆନ୍ତୁ ବନ୍ଧୁ ସଦନ । ପଦ ।

 

 

 

 

ନାଥ ! କିଛିକ୍ଷଣ ପାଇଁ ଧ୍ୟାନରୁ ବଞ୍ଚିତ ହୋଇ ଧନ ଆଶାରେ ଟିକିଏ ବୁଲି ଆସନ୍ତୁ ।

 

 

ସୁଦାମା-

ସୁମତି ! କିଏ ମୋର ବନ୍ଧୁ ଅଛି ? ମୁଁ କାହା ପାଖକୁ ଯିବି ।

 

 

ସୁମତି -

[ଗୀତ]

ଯେ-ଦୀନ ବାନ୍ଧବ ହରି            ସେ ପରା ସଖା ତୁମ୍ଭରି

ଜଣାଅ ଦୁଃଖ ଆମ୍ଭରି ହରିବେ କଷଣ ।

 

 

 

ନାଥ ! ଶ୍ରୀକୃଷ୍ଣ ପରା ଆପଣଙ୍କ ପିଲାଦିନର ଅନ୍ତରଙ୍କ ସାଙ୍ଗ । ଏକାବେଳେକେ ପ୍ରାଣପର୍ଯ୍ୟନ୍ତ ଦିଆ ଦେଇ । ସେ ତ ବର୍ତ୍ତମାନ ଦ୍ୱାରିକାର ରାଜା, ତାଙ୍କ ନିକଟକୁ ଯାଉ ନାହଁ ।

 

 

ସୁଦାମା-

ସୁମତି ! ସତେ କ’ଣ ତାଙ୍କର ସେକାଳ କଥା ମନେପଡ଼ିବ ? ସେ ଗୋରୁଜଗା, ବଣଭୋଜି, ସେତେବେଳେ ପଢ଼ୁଆ ସାଙ୍ଗ କଥା ତାଙ୍କର ମନରେ ଥିବ । ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର ।

 

 

ସୁମତି-

[ଗୀତ]

ସେ ପରା ଦୀନ-ବାନ୍ଧବ            ତୁଟାନ୍ତି ଦୀନ ଅଭାବ

ନ ଶୁଣିଲେ ତୁମ୍ଭ ଭାବ ଫେରି ଆସିବ ସଦନେ ।

 

 

 

ନାଥ ! ପିଲାଦିନେ ଆମ ଘରକୁ ସବୁବେଳେ ଆସି ସଖି ସଖି କହି କେତେ ଥଟ୍ଟା ମଜା ଲଗାଉଥିଲେ । ଖୁଦଭଜା ଗଣ୍ଡାଏ ହେଲେ ପାଟିକି ପକାଇ ଦେଉଥିଲେ । ଆଜି କ’ଣ ସେ ଭାବକୁ ପାସୋରି ଦେବେ; ତେମେ ନିଶ୍ଚୟ ଯାଅ ।

 

 

ସୁଦାମା-

[ଗୀତ]

(ଗତ- ସୁର)

ସତେ କି ସହିରେ ସେହି କୃଷ୍ଣ କଷ୍ଟ ଶୁଣିବ

ସେ ଦିନ ସେ କାଳ କଥା ମନେ ସେ କି ଗୁଣିବ । ପଦ ।

 

ସେ ଆଜି ଦ୍ୱାରିକାନାଥ,            ମୁଁ ପରା ଦୀନ ଅରକ୍ଷ

ଏ କାଙ୍ଗାଳି ରୂପ ଭେକ ଦେଖି ଘୃଣା କରିବ । ୧ ।

 

 

 

ସୁମତି ! ସେ ବର୍ତ୍ତମାନ ଦ୍ୱାରକାଧିପତି । ତାଙ୍କୁ ଲକ୍ଷେ ଦାସ ଦାସୀ ପରିବାର ଖଟୁଛନ୍ତି । ରାଜସଭାରେ ମହାନ୍‌ ମହାନ୍‌ ରାଜାମାନେ ଆସି ତାଙ୍କ ଚରଣ ସେବା କରିବାକୁ ବେଳ ପାଉ ନାହାନ୍ତି । ଏ କାଙ୍ଗାଳଟା କ’ଣ ସେ ପର୍ଯ୍ୟନ୍ତ ଯାଇ ପାରିବ ? ବୃଥା କାହିଁକି ବଳାଉଛୁ ସଖି ?

 

 

ସୁମତି-

ମଲା, ଏ ହାଣ୍ଡି- ବାଘ ତ ସବୁଥିକି ଡରିବ । ସେଠିକି ନ ଯାଉଣୁ ଆଗରୁ ଏତେ ଚିନ୍ତା କାହିଁକି ? ଯଦି ତୁମ୍ଭକୁ ଦେଖି କୃଷ୍ଣ ନ ଚିହ୍ନିବେ ତ ଫେରି ଆସିବ, ସେଥିପାଇଁ ଚିନ୍ତା କ’ଣ ?

 

 

ସୁଦାମା -

(ଗୀତ)

 

ଯେବେ ସେହି ପୀତବାସ ଦାସେ କରିବେ ନିରାଶ

ସେ ଅପମାନେ ମୁଁ ବିଷ ଭକ୍ଷିବିଟି ଜାଣିବ । ୨।

 

 

 

ସଖି ! ଯଦି ଶ୍ରୀକୃଷ୍ଣ ଏ କାଙ୍ଗାଳକୁ ପଦେ ଅଧେ ନ ପଚାରିବେ ତ ନିଶ୍ଚୟ ଗରଳପାନ କରିବି, ଆଉ ଏ ନିର୍ଲ୍ଲଜ ପ୍ରାଣ ତୋତେ ଦେଖାଇବାକୁ ଆସିବି ନାହିଁ । ଆଚ୍ଛା, ଏ ଛିଣ୍ଡା ନେକଡ଼ା ପିନ୍ଧି ସେଠାକୁ କ’ଣ ଯିବି ?

 

 

ସୁମତି-

ଯିବାର ହେଲେ ଲୁଗା କ’ଣ ମିଳିବ ନାହିଁ । ଚକି ଶିଳ ଲାଗି କ’ଣ ବାହାଘର ବନ୍ଦ ହେବ । ମୁଁ ଖଣ୍ଡେ ଲୁଗା ଧୋବାଘରେ ପକାଇ ରଖିଛି ।

 

 

ସୁଦାମା-

ହଉ ତେବେ ଦିଅ ବାହାରିବା ।

 

 

ସୁମତି-

ହଇ ହେ ବନ୍ଧୁ ବାନ୍ଧବ ଘରକୁ ଗଲେ କ’ଣ ଖାଲି ହାତରେ ଯାଆନ୍ତି ?

 

 

ସୁଦାମା-

ଆଉ କ’ଣ ଅଛି ଯେ ନେବି ।

ସୁମତି-

ସେ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ, ଫଳେ ପୁଷ୍ପେ ଯେ କିଛି ଗୋଟାଏ ହାତରେ ନ ନେଇଗଲେ ବଡ଼ ଅମର୍ଯ୍ୟାଦା କଥା ।

 

 

ସୁଦାମା-

ସୁମତି ! ତୋ ଆଡ଼ମ୍ବରକୁ କାଢ଼ୁଆ ଗେରସ୍ତଟାଏ ଏକା ପାଇଛୁ । ଏ ପେଟରୁ ବଳାଇ କ’ଣ ରଖିଛୁ ?

 

 

ସୁମତି-

ହଁ, ରଖିବି ନାହିଁ ତ କାଳେ କେହି ଅତିଥି ଅଭ୍ୟାଗତ ପହଞ୍ଚିଯିବ ସେ କ’ଣ ନିରାଶ ହେବ ? ଗଣ୍ଡିଏ ଖୁଦ ଅଛି ତାକୁଇ ବାଲିଭଜା କରିଦିଏ, ନେଇ ଯାଅ ତୁମ୍ଭ ସଖାକୁ ଦେବ ।

 

 

ସୁଦାମା-

ସୁମତି ! ତୋ ବୁଦ୍ଧିଟା ଷଣ୍ଢା ମେଲିଲାଣି, ଆଉ କେତେ ଦିନେ ଗଛ ହୋଇ ଫଳ ଫଳିବ । କି କଥା କହୁଛୁ, ଖୁଦ ଭଜା ନେଇ ଦ୍ଵାରକା ରାଜସଭାକୁ ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି, ଲାଜ ସରମ କ’ଣ ଉଭେଇଗଲା ?

 

 

ସୁମତି-

ଲଜ୍ଜା କ’ଣ ? ଧନ କାର, ସମ୍ପଦ କାର, ଖୁଦ କାର, ଯେ ଦେଇଛି ସବୁ ତା’ର ଘରେ, ଖୁଦ କାଞ୍ଜି ଟିକିଏ ବାଢ଼ିଦେଲେ କୃଷ୍ଣକୁ ଆଗେ ଖୋଜା, ମୁଁ କହିଲାବେଳକୁ ପଛଉଛ ଏ କି ଦଗାବାଜିଆ କଥା, ମୋତେ କ’ଣ ଦେଖାଇ ହବାକୁ ନା ମୋ ମନ ବିଡ଼ିବାକୁ କୃଷ୍ଣ କୃଷ୍ଣ ସବୁବେଳେ ହୁଅ ।

 

 

ସୁଦାମା-

ସୁମତି ! ତୁ ମୋର ଶିକ୍ଷାଦାତ୍ରୀ, ତୋ ଆଜ୍ଞା ଅବଜ୍ଞା କରିବା ମୋର ସଧ୍ୟାତୀତ, ଚାଲ ତେବେ କାହିଁ ଖୁଦ ମଳୁଖଗଣ୍ଡିକ ଦେ, ଆଉ ବିଳମ୍ୱରେ କାର୍ଯ୍ୟ ନାହିଁ ।

 

 

ସୁମତି-

ନାଥ ! ତୁମ୍ଭ ସଖାଙ୍କୁ ମୋହର ଭଉତ ଭଉତ କରି କହିବ ।

 

 

ସୁଦାମା-

(ଗୀତ)

( କୀର୍ତ୍ତନସୁର- ତାଳ ଲୋଫା )

ଦୀନ ଦୟାମୟ            ଗୋବିନ୍ଦ ହେ ଜୟ

ମାଧବ ଗିରିଧାରୀ ।

ହେ ପରମାନନ୍ଦ            ଦେବ ଆଦିକନ୍ଦ

ମଧୁସୂଦନ ମୁରାରି । ପଦ ।

 

ଗଜେନ୍ଦ୍ର ମୋକ୍ଷଣ,            ଶରଣ ରକ୍ଷଣ

ଅନଳ ଭକ୍ଷଣକାରୀ ।

ରକ୍ଷଣ ମୃଗୁଣି ତାରଣ      ଆର୍ତ୍ତ ନିବାରଣ

ଯମୁନାତଟ ବିହାରୀ । ୧ ।

 

ଶ୍ରୀନନ୍ଦନନ୍ଦନ            ଜଗତ ବନ୍ଦନ,

ଭକ୍ତହୃଦ ଧନ ଆନନ୍ଦ ବର୍ଦ୍ଧନ

ଯାମଳାଭଞ୍ଜନ;            କାଳି ବିମର୍ଦ୍ଦନ;

କେଶବ କେଶୀ କଂସାରି ।୨।

( ଗାଇ ଗାଇ ପ୍ରସ୍ଥାନ )

————————

 

ଦ୍ୱିତୀୟ ଦୃଶ୍ୟ

ଶ୍ରୀକୃଷ୍ଣ -

(ଗୀତ)

( ପାହିଥିଲା ରାତି- ବୃତ୍ତେ )

ଭକ୍ତ ମୋର ଜୀବନ ଭକ୍ତ ମନ-ମୋହନ । ପଦ ।

ଭକ୍ତ ବିନାଟି ଆନ            ନାହିଁ ମୋ ସୁଖ ସ୍ଥାନ

ଭକ୍ତ ଲାଗି ଜୀବନ            ଭକ୍ତ ମୋ ହୃଦଧନ

ଭକ୍ତ ଗଳା ରତନ । ୧।

ଭକ୍ତର ଭକ୍ତି ଡୋରେ      ବନ୍ଧା ମୁଁ ପ୍ରେମଭରେ

ଭକ୍ତ ଉଦ୍ଧାରିବାରେ            ଜଡ଼ିଛି ଏ ସଂସାରେ

ଭକ୍ତ ହୃଦ ଚନ୍ଦନ ।୨ ।

 

 

 

ସଖା ! ତୁ ଏଡ଼େ ଦରିଦ୍ର ହୋଇ ସୁମତିଠାରୁ ଏତେ ଅପମାନ ସହ୍ୟ କରି ସୁଦ୍ଧା, ମୋତେ ଲବେ ମାତ୍ର ଭୁଲି ନାହୁଁ, ତୋର କଷ୍ଟରେ ଏ ହୃଦୟ ଅସହ୍ୟ ହେଲାଣି, ସଖା-! ଆଉ ବିଳମ୍ୱ ନାହିଁ, ନିଶ୍ଚୟ ତୋର ସେ ଦୁର୍ଦ୍ଦଶା ମେଣ୍ଟଣ ହେବ ।

 

 

ରୁକ୍ମିଣୀ-

ନାଥ ! ଆପଣ ଆଜି ଏପରି ଅନ୍ୟମନସ୍କ ହୋଇ କଣ ଭାବୁଛନ୍ତି । ପୁଣି ମୁଖ-କମଳଟି ଏପରି ଶୁଖିଲା ଦିଶୁଛି କାହିଁକି ? ଏହାର କାରଣ କଣ କିଛି ବୁଝି ପାରୁନାହିଁ ।

 

 

 

(ଗୀତ)

( ନାହିଁ ସରସ- ବୃତ୍ତେ )

କିମ୍ପା ବିରସ ବଦନ ହେ ପ୍ରାଣଧନ । ପଦ ।

କ୍ଷଣେ ଚାହୁଁଛ ଏଣେ       କ୍ଷଣେ ଚାହୁଁଛ ତେଣେ

କି ଭାବ ପଡ଼ିଛି କି ମନ । ୧ ।

 

 

 

ନାଥ ! ଏ ଅଧୀନାରେ କପଟ ନ ରଖି ଶୀଘ୍ର ପ୍ରକାଶ କରନ୍ତୁ ।

 

 

 

( ଗୀତ )

ଅବା କେଉଁ ରମଣୀ,       ନେଉଛି ମନ କିଣି

ମର୍ମେ ବିନ୍ଧି କଟାକ୍ଷ ବାଣ ।୨।

 

 

 

ନାଥ ! କେଉଁ ପ୍ରେମିକାର ପ୍ରେମ ଫାନ୍ଦରେ ପଡ଼ି ମତିଟା ଚଞ୍ଚଳା ହୋଇ ଯାଇଛି ? କିଏ ସେହି ଭାଗ୍ୟବତୀ ?

 

 

ଶ୍ରୀକୃଷ୍ଣ-

ପ୍ରେମମୟୀ ! ତୁମ୍ଭ ବ୍ୟତୀତ ଏ ହୃଦୟରେ ଆଉ କାର ଅଧିକାର ଅଛି ?

 

 

ରୁକ୍ମିଣୀ-

ତେବେ କହୁ ନାହାନ୍ତି ?

 

 

 

( ଗୀତ )

କେବା ଆତଙ୍କେ ପଡ଼ି      ଧ୍ୟାୟୁଛି ପଦଯୋଡ଼ି

ତା ଡାକେ ଡେରିଅଛି କର୍ଣ୍ଣ । ୩ ।

 

 

 

ତେବେ କିଏ କ’ଣ ବିପଦାର୍ଣ୍ଣବରେ ପଡ଼ି ଆପଣଙ୍କ ପଦ ଯୁଗଳ ଚିନ୍ତା କରୁଛି, ସେ କଥା କହନ୍ତୁ କାହାର ଆର୍ତ୍ତନାଦରେ ଏତେ ବ୍ୟଥିତ ?

 

 

ଶ୍ରୀକୃଷ୍ଣ-

ନା, କିଛି ତ ଭାବୁ ନାହିଁ, ମନଟା କାହିଁକି କ’ଣ ହୋଇଗଲା ତୁମେ ସେଥିରୁ କ’ଣ ପାଇବ ।

 

 

ରୁକ୍ମିଣୀ-

( ଗୀତ )

ତୋ ମାୟା ମାୟାଧର,       ନ ଜାଣେ ବ୍ରହ୍ମା ହର

ମୁଁ କିବା ବୁଝିବି ସାମାନ୍ୟ । ୪ ।

 

 

 

ପ୍ରଭୋ ! ଆପଣଙ୍କ ମାୟାରେ ତ ବ୍ରହ୍ମା ହର ପଶି ପାରନ୍ତି ନାହିଁ । ମୁଁ ସାମାନ୍ୟ ସ୍ତ୍ରୀଟା ବା କ’ଣ ବୁଝିବି । ତେବେ ଅଧୀନାଠାରେ କପଟ ନ ରଖି କହନ୍ତୁ କି ବିପଦ ପଡ଼ିଛି ?

 

 

ଶ୍ରୀକୃଷ୍ଣ-

ସଖି ! ବିପଦ ନୁହେଁ ସମ୍ପଦ ।

 

 

ରୁକ୍ମିଣୀ-

ନାଥ, ଯେବେ ସମ୍ପଦ ତେବେ ଚିନ୍ତା କାହିଁକି ?

 

 

ଶ୍ରୀକୃଷ୍ଣ-

ସଖି ସେ ତ ଅମୂଲ୍ୟ ସମ୍ପଦ ତାକୁ ସ୍ୱର୍ଗ ମର୍ତ୍ତ୍ୟ ରସାତଳରେ ତୁଳନା ଦେବାକୁ କିଛି ନାହିଁ ।

 

 

 

(ଗୀତ)

ଆଉ ଦଣ୍ଡେ ରହ ରହରେ ସଙ୍ଗାତ

ଦେଖିବୁ ମୋ ସଙ୍ଗୀକୁ ।

ବାଲ୍ୟକାଳ ସଖା ସେ ମୋର ଦେଖିବୁ

ତା, ଭାବ ଭଙ୍ଗୀକୁ । ପଦ ।

 

 

 

ସଖି ! କ୍ଷଣେ ଅପେକ୍ଷା କର, ମୋର ଜଣେ ବାଲ୍ୟ ସଖା ଆସୁଛି, ଦେଖି ପାରିବୁ ସେ କିପରି ଲୋକ ତାହାର ଭାବ ଭଙ୍ଗୀରୁ ବେଶ୍‌ ଚିହ୍ନି ପାରିବୁ ।

 

 

 

( ଗୀତ )

ସେତ ଦୀନ ଦରିଦ୍ର,       ସଦା ଚିନ୍ତେ ମୋ ପଦ

ତେଣୁ ମୁଁ ତା ସ୍ନେହେ ଆବଦ୍ଧ,

ଜାଣିଥାଅ ହେମ ଅଙ୍ଗୀକୁ । ୧ ।

 

 

 

ସଖି ! ସେ ଅତି ଦୀନ ଦରିଦ୍ର, ତା’ର କେବଳ ଦିବାନିଶ ନାମ ଭଜନଇ ମୂଳ, ଏଣୁ ତା’ର ଦୁଃଖରେ ମୁଁ ଅଥୟ ହୋଇ ପଡ଼ିଲିଣି; ମୋତେ ଟିକିଏ ଅବସର ଦିଅ ।

 

 

ରୁକ୍ମିଣୀ-

ନାଥ ! କେଉଁଆଡ଼େ ଯିବ ?

 

 

ଶ୍ରୀକୃଷ୍ଣ-

( ଗୀତ )

ପଥେ ବଢ଼ିଛି ନଦୀ            ସଖା ହେବଣୀ ଧନ୍ଦି

ପାରି କରିବାକୁ ତା ପାଶେ ଯିବି,

ଦେଇ ମୋର କୃପା ଡଙ୍ଗୀକୁ । ୨ ।

 

 

 

ସଖା ମୋର ଏକାକୀ ଆସୁଛି, ଭୟ ମନେ କରୁଥିବ, ତାକୁ ଟିକିଏ ପଥ ଚାହିଁବାକୁ ଯିବି; ଆଉ ମଧ୍ୟ ନଦୀଟା ବଢ଼ିଛି, ନାଉରୀ ଯଦି ନ ଥାଏ ଫେରିଯିବ, ତେବେ ଯାଏ ମୁଁ ଟିକିଏ ସତର୍କ ନ ରହିଲେ କିଛି ହୋଇ ପାରିବ ନାହିଁ ।

 

————————

 

ତୃତୀୟ ଦୃଶ୍ୟ

ନାରଦ      

( ଧ୍ୟାନ )

ହର ନରକରିପୋ

କେଶବ କଳ୍ମଷଭାରଂ

ମାମନୁକମ୍ପୟ ଦୀନମନାଥଂ

କୁରୁ ଭବ ସାଗର ପାରଂ

ଜୟରାମ ଜୟାସୁର-ସୂଦନ

ଜୟ ମାଧବ ଜୟ ବିଷ୍ଣୋ ।

ଜୟଲକ୍ଷ୍ମୀ ମୁଖକମଳ ମଧୁବତ

ଜୟ ଦଶକନ୍ଧର- ଜିଷ୍ଣୋ ॥

 

 

ଶ୍ରୀକୃଷ୍ଣ-

ଦେବାର୍ଷେ ! କିବା କାର୍ଯ୍ୟେ ଆଗମନ ଏଥି, ଶୁଭାଶୁଭ ପ୍ରକାଶନ୍ତୁ ଥରେ ।

 

 

ନାରଦ-

ପ୍ରଭୋ ! ଆପଣଙ୍କ କୃପାରୁ ସମସ୍ତ ମଙ୍ଗଳ, ମୋର ତ୍ରୈଲୋକ୍ୟ ଭ୍ରମଣ କରିବା ତ ପେଶା, ତେବେ ବହୁଦିନରୁ ଆପଣଙ୍କ ସାକ୍ଷାତ ହୋଇ ନ ଥିବାରୁ ଆସିଲି ପୁଣି ମା, ଲକ୍ଷ୍ମୀଙ୍କ ଦର୍ଶନ ମଧ୍ୟ କେଉଁ ଦିନରୁ ହୋଇ ନାହିଁ, ମା ! ଚିରକାଳ କ’ଣ ଏପରି ବାରଦ୍ୱାର ବୁଲାଉଥିବ ।

 

 

ରୁକ୍ମିଣୀ-

ଖାଲି ବୁଲୁଥିଲେ କଣ ହୁଅନ୍ତାକି, ଯେଉଁଠାକୁ ଯିବ ସେଠି ଗୋଟିଏ କଳି ଆରମ୍ଭ କରି ଦେବ; ସେହି ପାରିଜାତ କଥା ମନେ ଅଛି ତ ?

 

 

ଶ୍ରୀକୃଷ୍ଣ-

ଦେବର୍ଷେ ! ବହୁ ଦିନରୁ ଆସି ନ ଥିଲେ, କିଛିକାଳ ଏହିଠାରେ ରହିଯାଅ । ମୋର ଗୁରୁତର କାର୍ଯ୍ୟ ଅଛି, ମୁଁ ଟିକିଏ ଆସୁଛି । ତୁମ୍ଭେ ରହିଲେ ମଧ୍ୟ ସେ ଅପୂର୍ବଟି ଦେଖି ପାରିବ ଯାହାକି ସ୍ୱର୍ଗ ମର୍ତ୍ତ୍ୟ ରସାତଳେ ଦୁର୍ଲ୍ଲଭ ।

 

 

ନାରଦ-

ହଉ ପ୍ରଭୋ !

————————

 

ଚତୁର୍ଥ ଦୃଶ୍ୟ

ସୁଦାମା-

(ଗୀତ)

(ରାଗ- ସାରଙ୍ଗ ତାଳ ଆଠତାଳି)

ହେ ଦୀନବନ୍ଧୁ !

ଦୁଃଖ ନାଶନ (ଗରୁଡ଼ାସନ) କୃପାସିନ୍ଧୁ

ଦିନ ନ ସରେ ମୋହର

ଅହର୍ନିଶୀ କାନ୍ଦୁ କାନ୍ଦୁ । ଘୋଷା ।

 

ଦୟାନିଧି ନାମ ବହି       ନିର୍ଦ୍ଦୟ ହୁଅ କିମ୍ପାଇଁ

ଆହେ ବୃନ୍ଦାବନ (ଚନ୍ଦ୍ର) ପୂର୍ଣ୍ଣ ଇନ୍ଦୁ ।

ବାସ ଆଶାରେ ନାଶ କେଉଁ ସମ୍ୱନ୍ଧୁ ?

ତୁମ୍ଭେ ପରା ମୋର ସଖା କିମ୍ପା ନରଖ ବିପଦୁ ।୧।

 

ଦୁର୍ଦ୍ଦଶା ଦିନକୁ ଦିନ            ବଢ଼ୁଛି ହେ ଜନାର୍ଦ୍ଦନ

ଦିଅ ଶ୍ରୀଚରଣ ସୁଧାବିନ୍ଦୁ ।

ଦକା ମୋ ଚିତ୍ତରୁ ହର ଗୋଲକ ବିଧୁ,

ହେ ଦୂରିତ ନିବାରଣ ଦଣ୍ଡ କେଉଁ ଅପରାଧୁଁ ।୧।

 

 

 

ସୁମତି ! ତୋ କଥାରେ ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏହିଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା । ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚଉଦିଗ ତମସାଚ୍ଛନ୍ନ କରି ଦେଲାଣି, ବିଜୁଳି ଓ ଘଡ଼ଘଡ଼ିର ସୀମା ନାହିଁ । ଉପାୟ କ’ଣ, ସ୍ତ୍ରୀ ବୁଦ୍ଧିରେ ପଡ଼ି ଏ ଦହଗଞ୍ଜ ଭୋଗିବାକୁ ହେଲା । ଭଗବାନ୍‌ ! ଏ ବିପଦ ସାଗରରେ ତୁମେଇ ଏକା ମୋର ଭରଷା, ଆଉ କଣ ଗୃହକୁ ଫେରି ଯିବି, କାହିଁ ପଥ ତ ଦିଶୁ ନାହିଁ ।

 

 

 

(ଗୀତ)

(କି ଦଶା ପଡ଼ିଲା- ବୃତ୍ତେ)

ଦୀନେ ଦୟା ନାହିଁକି ?

ଦୟାନିଧି ବୋଲି ନାମ ବୋଲାଇଛ କାହିଁକି । ପଦ ।

ଶରଣ ଜନେ କରୁଣା,      କିପାଁଇ କରୁଛ ଊଣା

ଏ ଅଧମ ତବ କିଣା, ଥରେ ଦିଅ ଚାହିଁକି ।

ଦେଇ ତବ କୃପା ତରୀ,       ଏ ବିପଦୁଁ କର ପାରି

ଆସିଛି ମୁଁ ଅନୁସରି ତବ ପାଦ ଧ୍ୟାଇକି । ୨ ।

 

 

 

ହେ ଭଗବାନ୍‌ ! ତୁମ୍ଭେ ମାତ୍ର ସାହା, କାହିଁ ଡଙ୍ଗା ଖଣ୍ଡେ ବୋଲିତ ଖଣ୍ଡେ ଦେଖା ନାହିଁ-। ଟିକିଏ ବସେ, କେହି ଯଦି ପାରି ହୁଅନ୍ତି ତ ତେବେ ଯିବି, ଦେଖାଯାଉ ।

 

 

 

(ନାବିକ ବେଶେ ଶ୍ରୀକୃଷ୍ଣଙ୍କ ଗୀତ)

(ଇଙ୍ଗିରାଜି ଆକଟ- ବୃତ୍ତେ)

ଆସ କିଏ ଭାଇରେ ନାବେ ହୋଇବ ପାରି ।

ହେଳା କରିବାକୁ ବେଳା ଆଉ ନାହିଁ

ଦେଖୁ ଦେଖୁ ବନ୍ୟା ହେଉଛି ଭାରି । ପଦ ।

 

କଣ୍ଡିଆରେ ଯେତେ ମାଣ୍ଡିଆ ବିଆଳି

ଧୋଇ ଧୋଇ ସବୁ ଦେଲାଣି ସାରି

ଧୋଇଆ ଚାଷୀଙ୍କ ଅବସ୍ଥା ସରିଲା

ପଡ଼ିଲାଣି ହା ହା କାତର ହୁରି । ୧।

 

ବଢ଼ିଗଲେ ଛାଡ଼ି ଯିବ ପଟୁ ପଡ଼ି

ମୁଣ୍ଡ ଟେକି ଯିବେ ସୋରିଷ ବିରି ।

ଭେଲୁଆ ବାଇଗଣ କିଏ ପଚାରିବ

କଟକି ସେରଟା ପାହୁଲା ଚାରି । ୨ ।

 

ତାଟରା ଚୁଙ୍ଗୁଡ଼ି ସେର ଦି’ ପଇସା

ଜଳଙ୍ଗ ବାଳିଆ ମରିବେ ଭାରି ।

ବନସୀଆଙ୍କର ବେପାର ଖୋଲିଲା

କେବା ପକାଇବେ ଜାଲରେ ଭଉଁରି ।

 

(ଡଙ୍ଗା ବାହି ଆଣିବା)

 

 

ସୁଦାମା-

ଆହା ତରାଇ ପିଲାଟିର କଣ୍ଠଟି ତ ବେଶ୍‌, ଗୀତଟା ମୋ କର୍ଣ୍ଣକୁ ବଡ଼ ତୃପ୍ତିକର ଜଣା ଯାଉଛି ।

 

 

ତରାଇ-

କିଏ ସେ ପାରିକୁ ଯିବାବାଲା ଅଛି, ଶୀଘ୍ର ଆସ, ନଈ ଭାରି ବଢ଼ୁଛି, ଏଣେ ବି ମେଘ ଘଡ଼ଘଡ଼ି ବିଜୁଳିରେ ଆଉରି ଭୟ ଜଣାଯାଉଛି । ଶୀଘ୍ର ଆସ କିଏ ଅଛି ।

 

 

ସୁଦାମା-

ଆଉ ତ କେହି ନାହାନ୍ତି, ମୁଁ ଏକା ଏଠି ଅଛି ଟିକିଏ ପାରି କରିଦେବୁ ?

 

 

ତରାଇ-

ଗୋସାଇଁ ! ଦଣ୍ଡବତ । ଟିକିଏ କ’ଣ ? ଗୋଟାଯାକ ତ ପାରି କରିଦେବି । ଦିଅ ମାସୁଲ ଦିଅ ।

 

 

ସୁଦାମା-

ମାହାସୁଲ ନବୁ ? ମୁଁ ଜଣେ ଗରିବ ଦ୍ୱିଜ । ମୋ ନିକଟରେ କିଛି ନାହିଁ ।

 

 

ତରାଇ-

ସେ କଥା ପଟିବ ନାହିଁ, ଗୋସାଇଁ ! ସେ କଥା ପଟିବ ନାହିଁ । ଆଉ ଦି’ ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣ ଏ ଭରା ନଈରେ କଦାପି ପାରି କରି ପାରିବି ନାହିଁ-

 

 

ସୁଦାମା-

ବାଇଆ ! ମୁଁ ବ୍ରାହ୍ମଣ, କଲ୍ୟାଣ କରିବି, ଧର୍ମ ହେବ ।

 

 

ତରାଇ-

ହଇହୋ ଗୋସାଇଁ ! ଯଦି କିଛି ହାନି ଲାଭ ହୁଏ ତ କିଏ ଦାୟୀ ।

 

 

ସୁଦାମା-

ବାଇଆ ! ସେଥି ନିମିତ୍ତ ଠାକୁରେ ଅଛନ୍ତି ।

 

 

ତରାଇ-

ଗୋସାଇଁ ! ଠାକୁର କିଏ, କେଉଁଠାରେ ଥାନ୍ତି ? ସେ କ’ଣ ବିପଦ ବେଳେ ଉଦ୍ଧାର କରନ୍ତି ?

 

 

ସୁଦାମା-

ବାଇଆ ! ତୁ ପିଲାଲୋକ ସେ କଥା କ’ଣ ବୁଝିବୁ । ଏଇ ଦେଖ, ମୁଁ ନିର୍ଭର ହୋଇ ଡାକିବାରୁ ସେ ତୋତେ ପଠାଇଲେ । ତୁ ନିଶ୍ଚୟ ମୋତେ ଏ ବିପଦରୁ ଉଦ୍ଧାର କରିବୁ-। ତେବେ ତୋତେ ଭଗବାନ ପଠାଇଛନ୍ତି, ସେ ନିତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କବେଳେ ତାଙ୍କୁ ଚିନ୍ତା କରେ ସେ ତା ଡାକ ଶୁଣନ୍ତି ।

 

 

ତରାଇ-

ହଉ ତେବେ ଗୋସାଇଁ ଆସ, ଡଙ୍ଗାକୁ ଆସ ।

 

 

ସୁଦାମା-

(ଡଙ୍ଗାରେ ବସିବା)

 

 

ତରାଇ-

( ଡଙ୍ଗା ବାହିବା ସମୟେ ) ଗୋସାଇଁ ତମ ବଟୁଆରେ ପାନ ଅଛି ଟିକିଏ ଦେଲ ।

 

 

ସୁଦାମା-

ବାଇଆ ! ସେ ବଟୁଆରେ ନାମ ଅଛି, ମାଳା ଅଛି; ମୁଁ ପାନ ଇତ୍ୟାଦି ଖାଏ ନାହିଁ । ସେ ସବୁ ମାଦକ ଦ୍ରବ୍ୟ । ତାକୁ ଖାଇବାଦ୍ୱାରା ଅନେକ ଅନିଷ୍ଟ ଅଛି ?

 

 

ତରାଇ-

ଗୋସାଇଁ ଅନିଷ୍ଟ କ’ଣ ?

 

 

ସୁଦାମା-

ପାନ, ବିଡ଼ି, ଅଫିମ, ଗଞ୍ଜାଇ ଏଥିରେ ଉନ୍ମାଦ ଅଛି, ଶରୀର ହାନି କରି ପକାଏ ।

 

 

ତରାଇ-

ନନା, ବୁଡ଼ିଲା ବୁଡ଼ିଲା ।

 

 

ସୁଦାମା-

ଏ କ’ଣ ଏ କ’ଣ, ଏ ପାଖ ମଙ୍ଗରେ ତ ପାଣି ପଶିଗଲାଣି, ଉପାୟ କ’ଣ ?

 

 

ତରାଇ-

ମୁଁ ପରା ସେଇଥି ଯୋଗୁ ମଙ୍ଗୁ ନ ଥିଲି, କିହୋ ତମ ଠାକୁରଙ୍କୁ ଏତେବେଳେ ଡାକ, ଅନାଉଛ କ’ଣ ?

 

 

ସୁଦାମା-

(ଗୀତ)

(ଜୟ ଲୀଳାନନ୍ଦ ହରି- ବୃତ୍ତେ)

ଜୟ ଜାନକୀ ଜୀବନ ହେ ଦୀନଜନ ଗଲା ଭାସି ।

ଏ ଅଗାଧ ଜଳେ            ବୁଡ଼ିଲା ମୋ ଭେଳା

କୂଳେ ଲଗା ବ୍ରହ୍ମରାଶି ।ପଦ।

ସୁମତି ! ଏଇଥର ପ୍ରାଣଗଲା, ଭଗବନ୍‌!

ଏ ବିପଦରୁ ଉଦ୍ଧାର କରିବ କେବଳ ତୁମ୍ଭେ !

(ଗୀତ )

ପାଞ୍ଚାଳୀ ବୀଭତ୍ସ            କାଳେ ତୁମ୍ଭେ ସାହା

ଗଜ ଉଦ୍ଧାରିଛ            ଚକ୍ରେ ଛେଦି ଗ୍ରାହା,

ଆତଙ୍କେ ମୃଗୁଣି            ପାଇଥିଲା ରାହା

ତବ ନାମେ ହୃଦେ ଘୋଷି । ୧ ।

ଭକ୍ତ ଦାଉ ପ୍ରଭୋ ସାଧୁଛ କି ପଥେ,

ଭକ୍ତ ମରା ବୋଲି ରଟିବ ଜଗତେ,

ଭାସିଗଲି ତାର            ମାର ବା ତୁ ଏଥେ

ତୋ ଚରଣ ସଦା ଆଶ୍ରି । ୨ ।

 

 

ତରାଇ-

ଗୋସାଇଁ ଗୋସାଇଁ, ଏଥର ଟିକିଏ ବାଗକୁ ଆସିଲା । ମୁଁ ତମଠାରୁ ମାହାସୁଲ ନେବି ନାହିଁ, ମୋତେ ବେଶି ନାହିଁ ଚାରି ଛଅଟା ପଇସା ବକ୍‌ସିସ୍‌ ମିଳୁ ।

 

 

ସୁଦାମା-

ବାପା ! ମୁଁ ପରା ଆଗରୁ କହିଛି ମୋଠାରେ କିଛି ନାହିଁ । ବ୍ରାହ୍ଣଣ ମଣିଷ କଲ୍ୟାଣଟିଏ କରିବି ।

 

 

ତରାଇ-

ଆଚ୍ଛା ହେଉ, ତୁମ୍ଭେ ଗୋଟାଏ କଲ୍ୟାଣ କର, ମୁଁ ଗୋଟାଏ କୋଠା ତୋଳାଏ ।

 

 

ସୁଦାମା-

ହଉ, ଭଗବାନ ନିଶ୍ଚୟ ତୋ ମନ କାମନା ପୂର୍ଣ୍ଣ କରିବେ ।

 

————————

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଚୋର ସର୍ଦ୍ଦାର ଓ କାହ୍ନୁଆ)

 

(ଗୀତ)

(ଅଛ କେ ଜଗତେ- ବୃତ୍ତେ)

ଚୋରିକରି ବାବୁଗିରି ହେବା ।

ୟାଘର ତା ଘର            କରି ହୁରି ଜୁରି

ପରମାରି ଘର କରି ଯିବା । ପଦ ।

 

କାହା ଘରୁ ନେବା            ଥାଳି ଲୋଟା କଂସା

କାହାଘରୁ ନେବା ରୂପିଆ ପଇସା ।

କାହା ଘରୁ ଗୋରୁ            କାହା ଘରୁ ଯୋରୁ

କା ଅମାରୁ ଧାନ ବୋହିନେବା । ୧ ।

 

ଚୋରି କରି ଯେବେ            ନ ପୂରିବ ପେଟ

ତାକୁ ଛାଡ଼ି ବନିଯିବା ଡକାୟତ,

ଜଗି ବାଟ ଘାଟ,            ଭେଟିଲେ ପଥିକ

ଚାଟୁ କହି ତଣ୍ଟି କାଟିଦେବା । ୨ ।

 

କବି ଭାବେ ଚୋରି            ଡକାୟତ ପଣେ

କେହି ମଥା ଟେକି ନାହିଁ ଧରାଧାମେ ।

ରେ ମୁର୍ଖ ଅଜ୍ଞାନେ            ନ ଯାଅ ସେ କର୍ମେ

ଦୃଢ଼େ କର ସଦଗୁରୁ ସେବା । ୩ ।

 

 

ସର୍ଦ୍ଦାର-

ହାଁରେ କାହ୍ନୁଆ ! ଆଜ୍‌ତ କୋନ ତରୋଁକା କୁଛ୍‌ବି ନାଇ ଯୁଟା, ଉସକା ମତଲବ କ୍ୟା ଆମ ଲୋକତ ଚୋରିମେ ପେଟ୍‌ ନାଇ ପୋଷେନେସେ ଡକାୟତ ବୃତ୍ତି କିଏଁ, ତବ୍‌ବି କୁଛ୍‌ ନେଇ ମିଲତା ହାଏ ! ଏ କ୍ୟା ଗଜକବି ବାତ୍‌ ।

 

 

କାହ୍ନୁଆ-

ସର୍ଦ୍ଦାରଜି ! ଏ ସବୁ କୁଛ୍‌ ତରତରକା କାମ ନାଇ, ଥୋଡ଼ା ବଖତ୍‌ ଛିପ୍‌କେ ରହୋ ଦେଖୋ କ୍ୟା ହୋତି କ୍ୟା ନେଇ ହୋତି ହାଏ ।

 

 

ସର୍ଦ୍ଦାର-

କାହ୍ନୁଆ । ତୁମ୍‌ ଆଚ୍ଛା ତରୋସେ ଦେଖା ତୋ କୋଇ ଏକ ଆଦମି ବହୁତ ଦୂରସେ ଆନେକା ସରି ମାଲୁମ୍‌ ହୋତା କି ନାଇଁ ।

 

 

କାହ୍ନୁଆ-

ସର୍ଦ୍ଦାରଜି ! ଠିକ୍‌ ବାତ୍‌, ଭଗଓ୍ୱାନ ଆମ୍‌ ଲୋକୋକା ଦାନା ଯୁଟାଦିଆ, ଯେରାସୋ ଏଇ ସଡ଼କ୍‌କେ ବାଜୁମେ ଛିପ୍‌କେ ରହୋ ।

 

 

 

( ସୁଦାମାର ପ୍ରବେଶ )

ସୁଦାମା-

ଆହା ! ମୁଁ କ’ଣ କଲି, କାହିଁକି ମାଇକିନିଆ କଥାରେ ପଡ଼ି ଘରୁ ଆସିଲି, ଏହିକ୍ଷଣି ତ ଭରା ନଦୀରେ ପ୍ରାଣ ଯାଇଥାନ୍ତା । କେବଳ ସେହି ଦୟାମୟଙ୍କ କୃପାରୁ ଉଦ୍ଧରି ଆସିଲି । ଏବେ କରେ କ’ଣ ? ଏତ ଘୋର ଜଙ୍ଗଲ, ଏଠାରେ ମନୁଷ୍ୟର ପଦ ଚିହ୍ନ ମାତ୍ର ଲକ୍ଷିତ ହୁଏ ନାହିଁ । କେବଳ କ୍ଷଣେ କ୍ଷଣେ ଶୁଭିଯାଏ ସେହି ହିଂସ୍ର ଜନ୍ତୁମାନଙ୍କର ଚିତ୍କାର, କ’ଣ କରିବି; ଏ କିଏରେ ବାବା ?

 

 

ସର୍ଦ୍ଦାର-

(ବାହାରିପଡ଼ି) ହେ ଭାୟା ଶୁନୋ ଶୁନୋ, ତୁମ୍‌ କାହାଁକୁ ଚଲାଯାତା ହାଏ । ହାମ ଲୋକୋଁକୁ ତୁମରା ସାଥ୍‌ମେ ଲେ ଚଲୋ, ତୁମ୍‌ କ୍ୟା ଲେତା ହାଏ ।

 

 

ସୁଦାମା-

ନାଇଁରେ ଭାଇ, ମୁଁ ଜଣେ ଗରିବ ବ୍ରାହ୍ମଣ, ଭିକ୍ଷା ନିମନ୍ତେ ଯାଉ ଯାଉ ପଥଭ୍ରଷ୍ଟ ହୋଇ ଏ ବାଟେ ଚାଲି ଆସିଲି ।

 

 

କାହ୍ନୁଆ-

ସର୍ଦ୍ଦାର ! ଆଦିମ୍‌ ଠୋ ବହୁତ ଚଲାଖ ହାଏ, କୁଛ ମାଲମତା ଉସ୍‌କାନେ ହାଏ, ପକଡ଼ୋ, ଭାଗିସ୍‌ ପକଡ଼ୋ ।

 

 

ସୁଦାମା-

ହେ ଭାଇମାନେ ! ମୋଠାରେ କଡ଼ାକର ଜିନିଷ ନାହିଁ, ବୃଥାଟାରେ କାହିଁକି ମୋ ସହିତ ଗୋଳମାଳ କରୁଛ । ହାୟରେ ବିଧାତା ! ଏମାନଙ୍କୁ ଏଇ ବୁଦ୍ଧି ଦେଇଛୁ ମୋ ଖୁଦ ପୁଡ଼ା ଦେଖି ଏମାନେ ଟଙ୍କା ପଇସା ଲୋଭରେ ହେଣ୍ଡି ମାରୁଛନ୍ତି । ସୁମତି କେତେ ଶ୍ରଦ୍ଧାରେ ସଖାଙ୍କ ପାଇଁ ଏ ଖୁଦ ମଳୁଖ ଗଣ୍ଡିକ ଦେଇଛି । ମୁଁ କ’ଣ ଏହି ଚଣ୍ଡାଳମାନଙ୍କୁ ଦେଇଯିବି ?

 

 

ସର୍ଦ୍ଦାର-

କାହ୍ନୁଆ ! ଆଓର ଡେରି କରନେକା ମତଲବ କ୍ୟା । ଡେରି ମତ କରୋ, ଲଗାଅ ଦୋ ଚାର ଧକ୍‌କା । (ଧକ୍‌କା ମାରି ଖୁଦ ପୁଟଳା ଛଡ଼ାଇ ନେବା)

 

 

ସୁଦାମା-

ସୁମତି ! ଏଥର ନିଶ୍ଚିନ୍ତ ହୋ, ମୁଁ ତୋତେ ବଡ଼ ଅଡ଼ୁଆ ହୋଇଥିଲି ।

 

 

ସର୍ଦ୍ଦାର-

କାହ୍ନୁଆ ! କ୍ୟା କ୍ୟା ମାଲ ମତା ହାଏ, ଖୋଲୋ ଆମ ଦେଖୋ ଅଓର କୋଇ ଆତା ରହେଗା ।

 

 

କାହ୍ନୁଆ-

(ଖୋଲି ଦେଖି) ସର୍ଦ୍ଦାରଜି ସର୍ଦ୍ଦାରଜି । ଆମ୍‌ଲୋକ କାଏ ଏ ବିଚାରକୁ ଏତନା ତକଲିପ୍‌ ଦିଏ । ଇସ୍‌ମେ କୁଛ ନେଇ ଖାଲି ତୁଟା ଚାଓର ।

 

 

ସୁଦାମା-

ଭଗବନ୍‌ ! ଏହି ଚଣ୍ଡାଳମାନଙ୍କ ହାତରେ କ’ଣ ପ୍ରାଣଟା ଯିବ ? ମୋତେ ତ ଯାହା ବାଜିବାର ବାଜି ଗଲାଣି, ଆଉ କିଛି ଅଛି ବୋଲି ଯଦି ଜୀବନ ନିଅନ୍ତି ତେବେ କାମ ନିଷ୍ପତ୍ତି ।

 

 

ସର୍ଦ୍ଦାର-

କାହ୍ନୁଆ । କ୍ୟା ଚିଜ ହାଏ ?

 

 

କାହ୍ନୁଆ-

ତୁଟା ଚାଓର, ତୁଟା ଚାଓର ।

 

 

ସର୍ଦ୍ଦାର-

କ୍ୟା ଆମ ଅବି ହାତ ମାରକର ଦେଖ୍‌ଗିଆ କୁଚ୍ଛ ମାଲ ରହିନେ ସରି ମାଲୁମ୍‌ ହୋତାଥା । ତୁମ ବୋଲତା ତୁଟା ଚାଓର । ଆମରା ସାଥ ସାଥ ନିକାଲତା ନା କ୍ୟା ? (ଉଭୟଙ୍କର କଳିଗୋଳକରି ଖୁଦ ଫୋପାଡ଼ି ପ୍ରସ୍ଥାନ)

 

 

ସୁଦାମା-

(ଉଠି ସଚେତ ହୋଇ ଖୁଦପୁଡ଼ା ଧରି) ଭଗବାନ୍‌ ! ଏମାନଙ୍କୁ ଏଇ ବୁଦ୍ଧି ଦେଇଛ, ଏମାନେ ଏହି ଦସ୍ୟୁବୃତ୍ତିରେ ଜୀବିକା ନିର୍ବାହ କରୁଛନ୍ତି, ପର ମାରି ଘର କରିବା ପ୍ରକୃତି ଏଇମାନଙ୍କଠାରେ ଅଛି । ଯାହା ହେଉ ସୁମତି ଦେଇଥିବା ଖୁଦର ମୂଲ୍ୟ ଜାଣି ପାରିଲି, ଯାହାକି ସମାନ୍ୟ ଦସ୍ୟୁମାନଙ୍କର ମନକୁ ଆସିଲା ନାହିଁ । ମୁଁ ପୁଣି ତାକୁ ନେଇ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କୁ ଭେଟିବି ମୋଠାରୁ ଭଳି ନିର୍ଲ୍ଲଜ ସଂସାରରେ ବିରଳ, ହଉ ନେଇଥାଏଁ । ଏ ଦୁଇଜଣଙ୍କର କଳିରେ ମୋର ଟିକିଏ ଉପକାର ହେଲା, ନଚେତ୍‌ ପ୍ରାଣ ବି ଶେଷ୍‌, ଯାଏ ତେବେ । (ପ୍ରସ୍ଥାନ)

————————

 

ଦ୍ୱିତୀୟ ଦୃଶ୍ୟ

[ସନ୍ନ୍ୟାସୀ ବେଶେ ଶ୍ରୀକୃଷ୍ଣ, କପିଳ ଓ ଶାରଙ୍ଗ ଶିଷ୍ୟ ଦ୍ୱୟ]

ସନ୍ନ୍ୟାସୀ-

(ଗୀତ)

ଅନିତ୍ୟ ଅସାର ସଂସାରରେ ଭାଇ

ହରିନାମ ସାର ଅଟଇଟି ଏକା । ୦ ।

ହରି ପିତା ମାତା ହରି ବନ୍ଧୁ ଭ୍ରାତା

ହରି ଏ ପିଣ୍ଡର ଉଦ୍ଧାର କରତା ।

 

ହରିନାମ ବିନେ ନାହିଁ ସୁଖ ଆନେ

ଭଜି ବସ ଏ ଭବ ନଉକା । ୧ ।

ହରିନାମ ସୁଧାପାନେ ହର କ୍ଷୁଧା

ହରିନାମ ବଳେ ଯିବ ବାଧା ।

ହରିନାମ ପ୍ରେମେ ମାତ ନିଶି ଦିନେ

ତୁଟିଯିବ ଦୁଷ୍ଟ ଶମନର ଧୋକା । ୨ ।

 

କପିଳ ! ସମିଧପ୍ରଭୃତି ସଂଗ୍ରହ ହୋଇଛି ତ ?

 

 

କପିଳ-

ଗୁରୁଦେବ ! ଶାରଙ୍ଗ ଫଳ ମୁଳ ନ ଆଣି ଚୁପ୍‌ କରି ବସି ରହିଛି, ଖାଲି ଖାଇଲା ବେଳକୁ ମଜଭୁତ ।

 

 

ସନ୍ନ୍ୟାସୀ-

ଥାଉ, ଥାଉ, ଆଉ କଳିଗୋଳ କରନା ମୋର ଧ୍ୟାନର ସମୟ ହୋଇଗଲା, ତୁମେମାନେ ନିଜ ନିଜର କାର୍ଯ୍ୟ ଠିକ୍‌ କରି ନେବ । ଆଚ୍ଛା, ଶାରଙ୍ଗ ଦିଓଟି ତୁଳସୀପତ୍ର ଆଣିଲ ।

 

 

ଶାରଙ୍କ-

ଗୁରୁଦେବ ! କେଉଁଠାରେ ଅଛି ମୁଁ ଦେଖି ନାହିଁ ।

 

 

କପିଳ-

କେଡ଼େ ସିଆଣିଆରେ କଥା କହୁଛୁମ, ଦେଖି ନାହୁଁ ମଠ ପଛଆଡ଼େ ପରା ଦେବଦାରୁ ଗଛ ଉପରେ ନଟେଇଛି, ଚଢ଼ିବାକୁ ପଡ଼ିବ ବୋଲି ମନାକର ।

 

 

ସନ୍ନ୍ୟାସୀ-

କପିଳ ! ତୁ ବି ମଧ୍ୟ ତୁଳସୀପତ୍ର ଆଜି ପର୍ଯ୍ୟନ୍ତ ଚିହ୍ନି ନାହୁଁ ।

 

 

କପିଳ-

ହଁ ଗୁରୁଦେବ ! ସେ ତ କଖାରୁ ପତ୍ରପରି ଏଡ଼େ ଏଡ଼େଟାମାନ, ରଙ୍ଗଟିକେ ଲାଲ ଝାପ୍‌ସା ଅଛି, ନୁହେଁ ?

 

 

ସନ୍ନ୍ୟାସୀ-

ଥାଉ, ଏ ସବୁ ଫେଚକାମୀ କଥା, ଏପରି ଅଯଥା ତର୍କ କରିବା କର୍ତ୍ତବ୍ୟ ନୁହେଁ, ଯାଅ ବର୍ତ୍ତମାନ ମୁଁ ଧ୍ୟାନମଗ୍ନ ହେବି ।

 

 

ସୁଦାମା-

(ପ୍ରବେଶି) ଆଉ କେତେ ବାଟ ଏ ଜଙ୍ଗଲଟି ପଡ଼ିବ କେଉଁଠାରେ ତ ଘର ଗ୍ରାମ ଦେଖାଯାଉ ନାହିଁ, କରେ କ’ଣ; ସୁମତି ! ତୋ କଥାରେ ପଡ଼ି କେତେ ଯେ ଦହଗଞ୍ଜ ନ ହେଲେଣି, (କର୍ଣ୍ଣଡ଼େରି) ନିକଟରେ ଭୁଟୁ ଭାଟ କ’ଣ ତ ଶୁଭୁଛି ଦେଖେ । ଆହା ଏ ତ ଗୋଟିଏ ଆଶ୍ରମ, ଜଣେ ମହାପୁରୁଷ ପଦ୍ମାସନରେ ବସି ଧ୍ୟାନମଗ୍ନ ଅଛନ୍ତି; ଏହି କାର୍ଯ୍ୟଟି ସଂସାରର ନରକ ଯନ୍ତ୍ରଣାରୁ ଉଦ୍ଧାରିବାର ପଥ । କିଛି ଚିନ୍ତା ନାହିଁ, ଦକା ନାହିଁ, କେବଳ ହରି ପଦାରବିନ୍ଦରେ ଧ୍ୟାନ । ଏମାନଙ୍କୁ କ୍ଷୁଧା ତୃଷା ପ୍ରାୟ ବାଧେ ନାହିଁ, ହେଲେ ବା ଅଭାବ କ’ଣ ? ଜଙ୍ଗଲରେ ନାନା ସୁସ୍ୱାଦୁ ଫଳ ମୂଳ ଓ ଝରଣାରେ ପବିତ୍ର ଜଳ ଥୁଆ ହୋଇଛି । କ’ଣ କରିବି, ମୁଁ ମୁର୍ଖ ତ ଏକକାନିଆ ହୋଇ ଆସିଛି, ଋଷିଙ୍କୁ ପ୍ରଣାମ କରିବି କିପରି ? ତା ନ ହେଲେ ନିଶ୍ଚୟ ଅପରାଧୀ ହେବି ଭଗବାନ ! ମୋତେ ଏ ବିଷମ ସମସ୍ୟାରେ କାହିଁକି ପକାଇଲ ।

 

 

 

ଗୀତ

[ପ୍ରାଣରୁ ଅନ୍ତର ସିନା- ବୃତ୍ତେ]

ଏ ଦୀନ ବେଶେ କେମନ୍ତେ ପୂଜିବି ତବ ପୟର ।

ଅପରାଧୀ ଅପରାଧ ବାରେ ପ୍ରଭୁ କ୍ଷମାକର । ପଦ ।

ଆଜନ୍ମ ମୁହିଁ ଦରିଦ୍ର            ଭିକ୍ଷାନ୍ନେ ପୋଷେ କୁଟୁମ୍ୱ

ହରି ନାମଟି ସମ୍ପଦ ଆନେ ନାହିଁ ମୋ ଆଦର । ୧ ।

ଉତ୍ତରି ନାହିଁ ମୋ କାନ୍ଧେ      କେହ୍ନେ ପ୍ରଣମିବି ପଦେ

ତେଣୁଟି ଅଦୃଷ୍ଟ ନିନ୍ଦେ ତବ କିଙ୍କର । ୨ ।

 

 

 

ପ୍ରଭୁ ! ମୋର ଅପ୍ରାଧ କ୍ଷମା କର, ମୁଁ ଦରିଦ୍ର ହେତୁ ଏ ଦଶା, ପ୍ରଭୁ ! (ପ୍ରଣାମ କରିବା ସମୟେ ମାୟା ତପସ୍ୱୀ ନାମାବଳି ପକାଇ ଦେଇ ଅନ୍ତର୍ଦ୍ଧାନ । (ଉଠି) ଏ କ’ଣ ସନ୍ନ୍ୟାସୀ କାହାନ୍ତି, ମୋର ଏ ଦୀନ ବେଶ ଦେଖି ଘୃଣା କରି କ’ଣ ଉଠିଗଲେ । ହା କପାଳ, ମୁଁ କାହିଁକି ସନ୍ନ୍ୟାସୀଙ୍କ ତପସ୍ୟାରେ ବାଧା ଦେଲି । ଏ ନାମାବଳି କାହୁଁ ଆସିଲା । ବୁଝିଲି, ବୁଝିଲି, ନୋହିଲେ କି ତୁ ଅନ୍ତର୍ଯ୍ୟାମୀ, ନାଥ ବୋଲି ନାମ ବୋଲାଇ ଥାନ୍ତୁ, ମୁଁ ଏକକାନିଆ ହୋଇଥିଲି ବୋଲି ମୋତେ ଏ ଖଣ୍ଡିକ ଦେବାପାଇଁ ଏ ନିର୍ଜନ ସ୍ଥାନରେ ଛଦ୍ମବେଶୀ ସନ୍ନ୍ୟାସୀ ହୋଇଥିଲୁ । ହରି ତୋ ମାୟା କେ ବୁଝି ପାରିବ ?

————————

 

ତୃତୀୟ ଦୃଶ୍ୟ

(ସନେଇ ସାହୁ ଓ ସଜନୀ ବୋହୁ ଫାର୍ଶ)

 

ପୁରୁଷ-

ସଜନୀ ବୋହୁ କୁଆଡ଼େ ଗଲକି ହୋ, ହେ ସଜନୀ ବୋହୁ !

 

 

ସ୍ତ୍ରୀ-

ମଲା କ’ଣମ, କାହିଁକି ଏତେ ସୁଆଙ୍ଗିଆ ଡାକ ପଡ଼ିଛି । କ’ଣ କିଛି ମିଳିଛି କି ?

 

 

ପୁରୁଷ-

ଆଲୋ ହଁ ଲୋ ଶୁଣିବୁ ଆ । ଗୀତ (ଚାଲ ଚାଲ ଏଠୁ- ବୃତ୍ତେ)

 

 

ପୁ-

ଶୁଣ୍‌ ଶୁଣ୍‌ ସଜନୀ ବୋହୁଲୋ

 

ଆଜି ରଜନୀରେ ଦେଖିଲି ଯାହା,

 

 

ସ୍ତ୍ରୀ-

କ’ଣ କହୁନା ଭଲ କିବା ମନ୍ଦ

 

ଶୁଣି ମୋ ସଂଶୟ ଯାଉଟି ନାହା ।

 

 

ପୁ-

ଧନ ଧାନ ଲାଗି ହେଉଥିଲି ଭାବି

 

ସେ ଧନ ତ ମୋର ହେଲାଣି ଥୁଆ ।

 

 

ସ୍ତ୍ରୀ-

କେମନ୍ତେ ମିଳିବ କିଏ ଆଣିଦେବ

 

କେଉଁ ଦେବ-ଦେବୀ ହେଲେ କି ସାହା ॥

 

 

ପୁ-

ଦେଖିଲି ସ୍ୱପନେ ବଇରାଗୀ ଜଣେ

 

ଆସି ମୋ କର୍ଣ୍ଣରେ କହିଲେ ଯାହା ।

 

 

ସ୍ତ୍ରୀ-

ସ୍ୱପନର କଥା ଅଟଇ ତ ମିଥ୍ୟା

 

କି କହିଲେ ଭଲା କହନ୍ତୁ ତାହା ।

 

 

ପୁ-

ହୋଇଲେ ପ୍ରଭାତ ଆସି ଯତି ଏକ

 

ଦାଣ୍ଡ ଦରଜାରେ ହୋଇବେ ଠିଆ ।

 

 

ସ୍ତ୍ରୀ-

ଭାଣ୍ଡ ପଣ ଏ ତ ନୁହେ ଟିକେ ସତ

 

ବସି ବସି କରି ଫାନ୍ଦୁଛ ଫାଆ ॥

 

 

ପୁ-

ସେ ସନ୍ନ୍ୟାସୀ ପିଟି ଅର୍ଜିବା ସମ୍ପତ୍ତି

 

ବିପଦ ବେଳକୁ ଦଇବ ସାହା ।

 

 

ସ୍ତ୍ରୀ-

ବାହାଦୁରୀ ପଣ କରନ୍ତୁ ଆପଣ

 

ଏଥେଁ ବାଳକୃଷ୍ଣ ନ ପାଏ ରାହା ॥

 

 

ପୁ-

ଆଲୋ, ତୁ ଗୋଟାଏ ଠେଙ୍ଗା ଆଣି ଏ କବାଟ କଣରେ ଡେରେ ?

 

 

ସ୍ତ୍ରୀ-

ସେହି ଠେଙ୍ଗାରେ କ’ଣ ବାବାଜିଙ୍କି ଦେବୁ ପାହାରେ ?

 

 

ପୁ-

ଆଲୋ ପଚାରୁଛୁ କ’ଣ ରାତି ହେଲା ଶେଷ ?

 

 

ସ୍ତ୍ରୀ-

ଏଇଠି ତ କାହା ପାଟି ଶୁଭୁଛି, ଏଇଥର ମାମଲତ ହେଲା ଶେଷ ।

 

 

ପୁ-

ହଇଲୋ କିଏ ?

 

 

ସ୍ତ୍ରୀ-

ଆସିଲେଣି ଯାହା କହୁଥିଲ ସିଏ ।

 

 

 

(ରାମ ବାରିକ ମୁଠି ହସ୍ତେ ଧରି ପ୍ରବେଶ )

ରାମା-

(ସ୍ୱଗତ) ଏ ସିନା ସାଉଟା ଆଜିକି ତିନିଦିନ ହେଲା ଟିକିଏ ଖିଅର ହେବ ବୋଲି ମୋ ଘଟିକି ଦଉଡ଼ୁଛି । ମୁଁ କ’ଣ କରିବି । ମୋର ତ କରଣ ମହାଲାୟକ ସାଆନ୍ତ ତାଙ୍କ ତାଙ୍କ ମରଜି ଜଗୁ ଜଗୁଁ ଦିନ ଆଖର, ତାଙ୍କ ସେବାରେ ତୁଟି ହେଲେ ବିଧା ଚାପୁଧା ବରଷି ଯିବ । ଯାହା ହେଉ, ଏଇ ଭୋର ଭୋର ଟିକିଏ ଅନ୍ୟାନ୍ୟଙ୍କ ମୁହଁ ନ ଜଗିଲେ ନ ଚଳେ, ଯାଏଁ (ପ୍ରକାଶ୍ୟେ) ହୋ ସାଉପୁଅ !

 

 

 

(ସାଉ କବାଟ ଫିଟାଇ ଠେଙ୍ଗା ଧରି ମାରିବାକୁ ଉଦ୍ୟତ)

ରାମ-

ହା,କ’ଣ କରିବି, ଥରକୁ ତିନିଥର ଯାଇଥିଲ । ମୁଁ ତ ନ ଥିଲି, ମୁଁ ଟିକିଏ ବାରଧନ୍ଦାକି ମଣିଷ ।

 

 

ସନା-

ଏ କିଏ, ମୁଁ ତ ସାରିଥିଲି ଆରେ, ମୁଁ ଜଣକୁ ପିଟିବାକୁ ଅପେକ୍ଷା କରିଥିଲି ମୋ ମନେ ମନେ ସେହି ।

 

 

ରାମ-

କାହାକୁ ସାହୁ ପୁଅ ?

 

 

ସନା-

ତୁ ଟିକିଏ ବସିଯା ଦେଖିବୁ । (ରାମ ଖିଅର କରୁଥିବା ସମୟେ ତପସ୍ୱୀର ପ୍ରବେଶ)

 

 

ସନା-

ରାମ ! ତୁ ଟିକିଏ ପାଖେଇ ଯା । (ସନ୍ନ୍ୟାସୀକୁ ପ୍ରହାର ଓ ଧନ ରତ୍ନ ଘରକୁ ବହିବା-?)

 

 

ରାମ-

ଆରେ ମୁଁ ଏଡ଼ିକି ଓଲୁ, ମୁଠିଟାକୁ ଘେନି ବାରଦ୍ୱାର ବୁଲି ବୁଲି ପେଟ ପୂରୁ ନାହିଁ, ମାମଲତ ଆସି ଏଥିରେ । ଲୋକେ ଏଇଆ କରି ଧନୀ ମହାଜନ, ଜମିଦାର, ରାଜା ବୋଲାଇଛନ୍ତି ହେ ମୁଠି, ତୋତେ ଆଜିଠାରୁ ବିସର୍ଜନ କଲି (ମୁଠି ଫୋପାଡ଼ି ଦେଇ) । ଏଥର ଯଷ୍ଟିରେ ମଜ୍ଜା, ସେ ସିନା ଗୋଟାଏ ବାଡ଼ି ପିଟିଲା ମୁଁ ତ, ଏକା ଦିନକରେ ଲକ୍ଷେଗଣ୍ଡା ପିଟି ଦେବି, ଆଚ୍ଛା ତେବେ ଧର୍ମଶାଳାକୁ ଯାଏ । ସେଠାରେ ସେମାନଙ୍କୁ ଭୁଲାଇ, କହି ଘରକୁ ଡାକି ନେବି ।

————————

 

ଚତୁର୍ଥ ଦୃଶ୍ୟ

(ରାମ ଧର୍ମଶାଳାରେ ପ୍ରବେଶ)

ରାମ-

ହେ ମହାତ୍ମାମାନେ ? ଏ ଦରିଦ୍ରର ଗୋଟିଏ ନିମନ୍ତ୍ରଣ ରକ୍ଷା କରିବେ ?

 

 

ସନ୍ନ୍ୟାସୀ-

କି ନିମନ୍ତ୍ରଣ ।

 

 

ରାମା-

ମୁଁ କାଲି ପ୍ରଭାତରୁ ଗୋଟିଏ ମହୋତ୍ସବ ଦେବି, ଆଉ ଆପଣମାନଙ୍କ ଶିଷ୍ୟ ହେବି ।

 

 

ସନ୍ନ୍ୟାସୀ-

ବହୁତ ଆଚ୍ଛା । ବହୁତ ଆଚ୍ଛା ।

 

 

ରାମା-

ତେବେ ମୁଁ ଆସୁଛି (ସ୍ୱଗତ) । ଖାଲି ଠେଙ୍ଗା ଦୁଇଚାରି ଖଣ୍ଡ ଦରକାର (ଗୃହକୁ ଆସି ପ୍ରକାଶ୍ୟେ) ଇଲୋ ସୁନେଈ ବୋହୁ, ଅଳସୀର ତ ନିଦ ଭାଙ୍ଗୁ ନାହିଁ ।

 

 

ସୁନେଈ ବୋହୂ-

ମଲା କାହିଁକି ଡାକୁଛ ମ । ମୁଁ ପରା ଗାଁକୁ ଯାଉଛି, ମହାଜନ ଘର ବାହାଘର, ନଖ କମେଇ ଦେଇ ଅଳତା ନାଇଦେବି ।

 

 

ରାମା-

ରଖ ତୋ ଅଳତା ଫଳତା (ଟୋକେଇ ଛଡ଼ାଇ ଫୋପାଡ଼ି ଦେବା) ମହାଜନ ଘର ବାହାଘର, ଆମ ବାହାଘର କିଏ ଦେଖି ଆସିବ ।

 

 

ସୁନେଈ ବୋହୂ-

ଏ କ’ଣ ପାଗଳା ହୋଇ ଗଲାକି ? (ବାବାଜିମାନଙ୍କର ପ୍ରବେଶ)

ରାମା-

ଏଇତ ଗଡ଼ି ଆସିଲେ, ଯା ତୁ ଘରକୁ ଯା । (ଠେଙ୍ଗାରେ ଦୁଇ ଚାରିଜଣକୁ ପାହାର ଦେବାରୁ ସମସ୍ତେ ପଳାୟନ)

————————

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଦ୍ୱାରିକାର ରାଜସଭା, ଶ୍ରୀକୃଷ୍ଣ ସଭାସଦ)

ଶ୍ରୀକୃଷ୍ଣ-

ରାଜନ୍ୟବର୍ଗ ! ତୁମ୍ଭମାନଙ୍କର ସମସ୍ତଙ୍କର କୁଶଳ ତ ? ଯାହାର ଯାହା ଆପତ୍ତି ଅଛି ଶୀଘ୍ର ପ୍ରକାଶ କର । (ଦୂରରୁ ମରିଗଲୁ ମରିଗଲୁ ଶବ୍ଦ)

 

 

ଶ୍ରୀକୃଷ୍ଣ-

ଏ କି, କୋଳାହଳ ? କିଏ କାହାକୁ ଏପରି କି ଶାସ୍ତି ଦେଉଛି ? ଦ୍ୱାରିକାରେ ଆଜି ପୁଣି ଏ କି ଶାନ୍ତିଭଙ୍ଗ ? ସାତ୍ୟକି ଶୀଘ୍ର ବୁଝ । (ବାବାଜିମାନଙ୍କର ଚିତ୍କାର କରି କରି ପ୍ରବେଶ)

ସାତ୍ୟକି-

କିଏ ସେ ମହାତ୍ମାଗଣ ! କେ ଆପଣଙ୍କୁ ଏପରି ଶାସ୍ତି ଦେଇଛି । (ବାବାଜିଙ୍କର ସମସ୍ତ ପ୍ରକାଶ କରିବା)

 

 

ସାତ୍ୟକି-

ପ୍ରଭୋ ! ରାମା ଭଣ୍ଡାରି ଏମାନଙ୍କୁ ବାଡ଼େଇ ପିଟି ସାରା କରି ଦେଇଛି, ଆଉ ମଧ୍ୟ କେତେକଙ୍କ ପ୍ରାଣ ନେଇଛି ।

ଶ୍ରୀକୃଷ୍ଣ-

ଦୂତ ଶୀଘ୍ର ସେ ରାମା ଭଣ୍ଡାରିକୁ ବନ୍ଧନ କରି ଆଣ ।

 

 

 

(ରାମାର ପ୍ରବେଶ)

ଶ୍ରୀକୃଷ୍ଣ-

ଗୀତ

(କହ ଦୂତ ଏକି ବିପରୀତ- ବୃତ୍ତେ)

କାଟ ଏ ଭଣ୍ଡ ପାଷାଣ୍ଡ ଦୁର୍ଦ୍ଦଣ୍ଡର ମୁଣ୍ଡରେ ।

ନିର୍ଦ୍ଦୋଷୀ ସନ୍ନ୍ୟାସୀଗଣେ ଦେଲା

ଏତେ ଦଣ୍ଡରେ

ଛାର ଏ ଭଣ୍ଡାରି ଟୋକା      ଟିକେ ନାହିଁ ତାର ଶଙ୍କା

ଦଣ୍ଡେ ନ କରଟି ରକ୍ଷା

କଲା କେତେ କାଣ୍ଡରେ । ୧ ।

ଏ ବ୍ରହ୍ମଦୋଷୀର ମୁଖ      ଚାହିଁଲେ ଲେଖୁଛି ପାପ

ଶ୍ମଶାନେ ୟା ପିଣ୍ଡ ରଖ

କରି ଖଣ୍ଡ ଖଣ୍ଡରେ । ୨ ।

 

ସାତ୍ୟକି ! ଶୀଘ୍ର ଘାତକକୁ ଆଜ୍ଞା କର, ଏ ପାଷାଣ୍ଡକୁ ଶୂଳି ଦେଉ ।

 

 

ରାମା-

ସମସ୍ତେ ବଡ଼ ଲୋକ ହେବେ ଏ ଗରିବ ଭଣ୍ଡାରିଟୋକା ବଡ଼ ଲୋକ ହେଲାକୁ ଶୂଳି ଦେଉ ।

 

 

ଶ୍ରୀକୃଷ୍ଣ-

ମୂର୍ଖ, ତୁ କି ବଡ଼ ଲୋକ ହେଉଥିଲୁ ?

 

 

ରାମା-

ପ୍ରଭୋ ! ସନେଇ ସାଉ ବଣିଆ ଗୋଟାଏ ବାବାଜି ପିଟି ଯେତେ ଟଙ୍କା ସୁନା ନେଲା ମୁଁ ତା କ’ଣ କହିବି । ମୁଁ ତ ସେଇଆ ଦେଖି ଏ କଥା କଲି ।

 

 

ଶ୍ରୀକୃଷ୍ଣ-

ସନେଇ ସାଉକୁ ଡାକ । (ସନେଇ ସାଉର ପ୍ରବେଶ)

 

 

ଶ୍ରୀକୃଷ୍ଣ-

ହଇହେ ସନେଇସାଉ ! ତୁମ୍ଭେ ଗୋଟିଏ ବାବାଜି ପିଟି ବହୁତ ଅର୍ଥ ପାଇଛ ଏ କଥା ସତ ? ରାମା ଦେଖିଛି ବୋଲି କହୁଛି ।

 

 

ସାହୁ-

ହଁ ପ୍ରଭୋ ! ମୋତେ ସ୍ୱପ୍ନାଦେଶ ହୋଇଥିଲା, ସେ ଯୋଗୁଁ ଏ କାର୍ଯ୍ୟ କରିଥିଲି, ମୋତେ ଯଥେଷ୍ଟ ଅର୍ଥ ମିଳିଥିଲା, ଏକଥା ମିଥ୍ୟା ନୁହେ ।

 

 

ଶ୍ରୀକୃଷ୍ଣ-

ହଇରେ ରାମା ତୋତେ କାହାର ହୁକୁମ ହୋଇଥିଲା ।

 

 

ରାମା-

ପ୍ରଭୁ ! ମୁଁ ତ ଦେଖିକରି ଭାବିଲି ବାବାଜି ପିଟିଲେ ଧନ ବାହାରେ । ଏଣୁ ମୋ ମନ ଆଉ ସମ୍ଭାଳି ହେଲା ନାହିଁ ।

 

 

ଶ୍ରୀକୃଷ୍ଣ-

ମୁର୍ଖ ଏ ପାପର ପ୍ରାୟଶ୍ଚିତ୍ତ ଭୋଗକର ।

 

 

ରାମା-

ପ୍ରଭୁ ! ମୁଁ ମୁର୍ଖ ବୁଦ୍ଧିରେ ଏସବୁ କାର୍ଯ୍ୟ କଲି, ଆପଣଙ୍କ.....

 

 

ଶ୍ରୀକୃଷ୍ଣ-

ଯା ମୁର୍ଖ ! ଦର୍ଶନରେ ମୋର ପାପ କ୍ଷୟ ହୋଇଗଲାଣି ।

 

 

ନାରଦ-

ପ୍ରଭୋ ! ଏଇ ଅପୂର୍ବ କଥା ଦେଖାଇବାକୁ ମୋତେ କହିଥିଲେ ।

 

 

ଶ୍ରୀକୃଷ୍ଣ-

ଦେବର୍ଷେ ! ତୁମ୍ଭେ ସବୁ କଥାରେ ଅଥୟ, ଆଉ କ୍ଷଣେ ଅପେକ୍ଷା କରନ୍ତୁ ।

 

 

ସୁଦାମା-

(ପ୍ରବେଶି) ଆହା ଏଇ ତ ସଖା ମୋର ରତ୍ନସିଂହାସନ ଉପରେ ବିଜେ କରିଛନ୍ତି ।

 

 

 

ଗୀତ (କୀର୍ତ୍ତନ ସୁର- ଏକତାଲା)

(ଆରେ ନରଧାମ ନିମକହାରାମ ବୃତ୍ତେ)

 

ଆହା କି ମୋହନ ମଧୁର ମୂରତି

ଦେଖିଲି ପାପ ନୟନେ ।

ଦୀନବନ୍ଧୁ ବୋଲି ଯାକୁ ଭାବୁଥିଲି

ଭଜନେ ଶୟନେ ସ୍ୱପନେ,

ମୋର ପ୍ରାଣ ସଖା ।

ଆଉ ଏତେ ଦିନେ ପାଇବି କି ଦେଖା । ୧ ।

 

ଏ ଦରିଦ୍ର ବେଶେ କେହ୍ନେ ତାଙ୍କ ପାଶେ

ଯିବି ବଳୁନାହିଁ ମନ

ଏତିକିରେ ଫେରିଯିବି ନିଜପୁରୀ

ହେଲାଣି ତ ଛାମୁ ଦର୍ଶନ ।

ସଖା ମଧୁର ବାଣୀ,

କର୍ଣ୍ଣେ ଯାହା ନ ପାରିଲି ଶୁଣି ।

 

 

 

ନାହିଁ ଆଉ ତ ଯିବାକୁ ଇଚ୍ଛା ବଳୁନାହିଁ, ଯାଉଥିବି ଯଦି କେହି ନ ଚିହ୍ନି ଦୀନ ଅରକ୍ଷିତ ବୋଲି ଘୃଣାକରି ତଡ଼ି ଦେବେ ତ ବଡ଼ ଲଜ୍ଜା ହେବ । ତା ଅପେକ୍ଷା ଫେରିଯିବା ଉଚିତ ।

 

(ପ୍ରସ୍ଥାନୋଦ୍ୟତ)

 

 

ଶ୍ରୀକୃଷ୍ଣ-

ସାତ୍ୟକି ! କିଏ ଜଣେ ଲୋକ ଆସୁ ଆସୁ ଦ୍ୱାରଦେଶରୁ ଫେରିଗଲେ କାହିଁକି ଦେଖ ।

 

 

ସାତ୍ୟକି-

ଯେ ଆଜ୍ଞା, ହଇହେ ଗୋସାଇଁ ।

 

 

ସୁଦାମା-

ବାବୁ ମୁଁ ଜଣେ ବାଟର ବାଟୋଇ, ଯାଉଥିଲି, ବାଟବଣା ହୋଇ ଚାଲି ଆସିଲି । ଆଉ ଦିନେ ଏପରି ଆସିବି ନାହିଁ, ମୋର କାଇଲି ।

 

 

ସାତ୍ୟକି-

ତୁମ୍ଭଙ୍କୁ ପ୍ରଭୁଙ୍କର ଆଜ୍ଞା ହୋଇଛି ଆସ ।

 

 

ସୁଦାମା-

(ସ୍ୱଗତ) ସୁମତି ତୋହ ଲାଗି ଆଜି ଗିରଫଦାର ହେବାକୁ ପଡ଼ିଲା (ପ୍ରକାଶ୍ୟେ) । ତମ ହାତ ଧରୁଛି, ମୋତେ ଛାଡ଼ିଦିଅ, ଆଉ କେବେ ଏପରି ଭୁଲ୍‌କାମ କରିବ ନାହିଁ ।

 

 

ଶ୍ରୀକୃଷ୍ଣ-

(ସୁଦାମାକୁ ଚିହ୍ନି ସିଂହାସନ ଛାଡ଼ି ଦୌଡ଼ି ଯାଇ କୋଳ କରି ଆଣି ସିଂହାସନରେ ବସାଇ) ଏ କିଏ, କିଏ ଭାଇ ? ସୁଦାମା ! ମୋର ପ୍ରାଣର ସଖା ସୁଦାମା ଭାଇ ! ମୁଁ କ’ଣ ତୁମ୍ଭଙ୍କୁ ଏଡ଼େ ପିତା ଲାଗୁଥିଲି ଯେ ମୋତେ ଦେଖି ଫେରି ଯାଉଥିଲ ?

 

 

ସୁଦାମା-

(କାକୁତି ବିନତିର ସହିତ ଥରିବା)

 

 

ଶ୍ରୀକୃଷ୍ଣ-

(ଗୀତ)

( ଜୀବନ କୁଞ୍ଜ କୁଟୀର ବୃତ୍ତେ )

କେମନ୍ତେ ପଡ଼ିଲା ମନେ ସଖା ତୁମ୍ଭର ।

ନ ପାସୋରି ମୋତେ

ବିଜେ କଲ ମୋ ପୁର । ଘୋଷା ।

 

ସଖା! ସତେ କ’ଣ ମୁଁ ତୁମ୍ଭ ମନରେ ଥିବି ବୋଲି ମୋ ମନରେ ପ୍ରତେ ନ ଥିଲା, କିପରି ୟାଡ଼କୁ ବାହାରି ପଡ଼ିଲ ?

 

 

ସୁଦାମା-

ଆପଣଙ୍କ, ନା, ଛାମୁଙ୍କ ଦର୍ଶନ ଯୋଗେ ।

 

 

ଶ୍ରୀକୃଷ୍ଣ-

ଛି, ଛି ସଖା ! ଏ କ’ଣ, ଆପଣଙ୍କ, ଛାମୁଙ୍କ କାହାକୁ କହୁଛ । ମୁଁ କ’ଣ ସେହି ପୂର୍ବର ସଖାପଦବାଚ୍ୟ ନୁହେଁ ।

 

 

 

(ଗୀତ)

କିବା ପଥ ବଣାହୋଇ      ଆସିଲ ଏଥେ ଚଳାଇ,

କିବା ସୁଯୋଗରେ ପାହି ଥିଲାଟି ରାତିଟା ମୋର । ୧ ।

 

 

 

ସଖା ! କ’ଣ କୁଆଡ଼େ ଯାଇଥିଲ ବାଟ ବଣା ହୋଇ ୟାଡ଼କୁ ଚାଲି ଆସିଲ ? ଆଜି ମୋର ସୁପ୍ରଭାତ ଯେ, ତୁମ୍ଭ ପରି ସଖାର ମୁଖ-କମଳ ଦର୍ଶନ ଓ ପଦରଜ ପ୍ରାପ୍ତ ହେଲି, ସଖା ଥରୁଛ କାହିଁକି ? ମୋତେ କଅଣ ଏକାବେଳକେ ଭୁଲିଗଲ ।

 

 

 

(ଗୀତ)

ତୁମ ପରି ସଖୀ ମୋତେ      ଭୁଲିଛନ୍ତିଟିନା ସତେ,

ସେ କଥା କହ ତୁରିତେ ସଂଶୟ ଯାଉ ମନର । ୨ ।

 

 

 

ସଖା ! ତୁମ୍ଭ ପରି ତ ସଖୀ ମୋତେ ଭୁଲି ନାହାନ୍ତି ? ମୋ କଥା ତାଙ୍କ ମନେ ପଡ଼େ-?

 

 

ସୁଦାମା-

ସେହି ସୁମତି ଯୋଗେ ତ ଛାମୁଙ୍କ ନା ତମ ପାଖକୁ ଆସିଲି ।

 

 

ଶ୍ରୀକୃଷ୍ଣ-

ସଖୀ ଭଲରେ ଅଛନ୍ତି ତ ? ସାତ୍ୟକି ! ଶୀଘ୍ର ଅନ୍ତଃପୁରରେ ଖବର ଦିଅ, ସୁନା ଝରିରେ ପାଣି ଆଣି ସଖାଙ୍କ ଚର୍ଚ୍ଚା କରନ୍ତୁ !

 

 

ସୁଦାମା-

(ସ୍ୱଗତ) ସୁମତି ! ତୁ କି ବିପଦରେ ଆଣି ମୋତେ ପକାଇଲୁ, ଏଠୁ କିପରି ଉଦ୍ଧାର ହେବି ।

 

 

ଶ୍ରୀକୃଷ୍ଣ-

ପ୍ରିୟେ ! ୟାଙ୍କରି କଥା କହୁଥିଲି, ଶୀଘ୍ର ଚରଣଧୌତ କରିଦିଅ ।

 

 

ରୁକ୍ମିଣୀ-

ହଉ ନାଥ !

 

 

ସୁଦାମା-

(ସ୍ୱଗତ) ସୁମତି, ତୁ ମୁଢ଼ଣୀଯୋଗେ ଶ୍ରୀକୃଷ୍ଣଙ୍କ ପାଟ ମହାଦେଈ ଏ କାଙ୍ଗାଳର ପଦ ଧୋଇ ଦେବେ, ମୁଁ କି ଅପ୍ରାଧ କମାଇଲି । ଗୋଡ଼ ପୁଣି ମଳି ବସି ଫାଟି ଆଁ କରିଛି । (ପ୍ରକାଶ୍ୟେ) ନା କେଭେ ହେବ ନାହିଁ ।

 

 

ଶ୍ରୀକୃଷ୍ଣ-

ସଖା ! ରୁକ୍ମିଣୀ କ’ଣ ତୁମ୍ଭର ସଖୀ ନୁହନ୍ତି ?

 

 

ନାରଦ-

ପ୍ରଭୋ ! ପୁତ୍ର ଥାଉଁ ଥାଉଁ ମାତା ପଦଧୌତ କାହିଁକି କରିବେ ଆଦେଶ ହେଉ ।

 

 

ରୁକ୍ମିଣୀ-

ମୋତେ ସେ ଆଜ୍ଞା ହୋଇଛି ।

 

 

ସୁଦାମା-

(ସ୍ୱଗତ) ହା ବିଧାତା । ଜଗତର ମାତ ମୋର ପଦ ଧାରଣ ପୂର୍ବରୁ ଏ ପୋଡ଼ା ପିଣ୍ଡରୁ ପ୍ରାଣବାୟୁ ଉଡ଼ି ନ ଯାଇ କାହିଁକି ରହିଛି ।

 

 

 

(ରୁକ୍ମିଣୀଙ୍କ ପଦ ପ୍ରକ୍ଷାଳନ ଓ କାନିରେ ପୋଛିବା)

ଶ୍ରୀକୃଷ୍ଣ-

ସଖା ! ତୁମ୍ଭେ ଆସିଲ; ସଖୀ ତୁମ୍ଭ ହାତରେ କିଛି ଅପୂର୍ବ ସପୂର୍ବ ଜିନିସଟାଏ ଦେଲେ ନାହିଁ ।

 

 

ସୁଦାମା-

[ସ୍ୱଗତ] ମଲି ଏଥର, ଏ ତ କ’ଣ ଖୋଳେଇ ହେଲେଣି । ଏ ପ୍ରାଣ ଗଲେ ତ ସେ ଖୁଦଗଣ୍ଡାକ କାଢ଼ିବି ନାହିଁ, (ପ୍ରକାଶ୍ୟେ) ପ୍ରଭୁ ! ମୁଁ କାଙ୍ଗାଳ କ’ଣ ପାଇବି ଯେ ଆଣିବି-

 

 

ଶ୍ରୀକୃଷ୍ଣ-

ତା ସତ, ତେବେ ସଖୀଙ୍କ ସ୍ନେହ ତ ଭାରି । ସେ ମୋ ପାଇଁ କିଛି ଯଦି ନ ପାଇଲେ ତେବେ ଖୁଦମଳୁଖ କରି ଦି’ଟା ଭାଜି ଦେଲେ ନାହିଁ, ମୁଁ ପଢ଼ିଲା ସମୟରେ କେତେ ଥର ତାଙ୍କ ହାତରୁ ଖୁଦଭଜା ଖାଇଛି ।

 

 

ସୁଦାମା-

(ସ୍ୱଗତ) ଭଗବନ୍‌ ! ଏଇଥର ସଇଲା, ଏଇଥର ମଲି ।

 

 

ଶ୍ରୀକୃଷ୍ଣ-

ସଖା ତୁନୀ ହୋଇଛ ଯେ, ବୋଧହୁଏ କିଛି ଆଣିଛ । ମୋତେ ଲୁଚାଉଛ, ତମ ଲୁଗା କାଢ଼ିଲ ? (ଖୁଦାଭଜା କାଢ଼ି ନେଇ । ସେଥିରୁ ମୁଠାଏ ଓ ଅନ୍ୟ ମୁଠା ଖାଇବା ସମୟେ ରକ୍ମିଣୀ ହାତଧରି ପକାଇ)

 

 

ରୁକ୍ମିଣୀ-

ଥାଉ; ଥାଉ, ନାଥ ! ଥାଉ ଏ କ’ଣ କରୁଛନ୍ତି ? ସଖା ତ ତୁମ୍ଭର ସେଇ ମୁଠିକରେ ସମସ୍ତ ଦ୍ୱାରକା ସମ୍ପତ୍ତିର ଅଧିକାରୀ, ପୁଣି କ’ଣ ଅଛି ବୋଲି ? ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ ଦିଅନ୍ତୁ ।

 

 

ଶ୍ରୀକୃଷ୍ଣ-

ରାଜନ୍ୟବର୍ଗ ! ଆଜି ଏତିକିରେ ସଭା ଭଙ୍ଗ ହେଉ, ସଖା ଚାଲ; ବାଟ ଚାଲି ଆସିଛ ଟିକିଏ ବିଶ୍ରାମ କରିବ ।

————————

 

ଦ୍ୱିତୀୟ ଦୃଶ୍ୟ

(ରୁକ୍ମିଣୀ-ଶ୍ରୀକୃଷ୍ଣ)

 

ଶ୍ରୀକୃଷ୍ଣ-

ପ୍ରିୟେ ! ସଖା ସୁଦାମାର ମୋ ନିକଟ ଆସିବା କାରଣ ବୁଝି ପାରିଲଣି ?

 

 

ରୁକ୍ମିଣୀ-

ବୋଧହୁଏ ସାକ୍ଷାତ କରିବା ଅଭିପ୍ରାୟରେ ଆସିଛନ୍ତି ।

 

 

ଶ୍ରୀକୃଷ୍ଣ-

ତା ନୁହେଁ, ସଖି ! ସେ ନିତାନ୍ତ ଦୀନ ହୀନ ଗରିବ । ସୁମତି ତାଙ୍କୁ କିଛି ଧନ ଆଶାରେ ଏଠିକି ପଠାଇଛନ୍ତି । କିନ୍ତୁ ସଖା ସେ କଥାକହୁ ନାହାନ୍ତି, ତାଙ୍କର ଧନରେ ସେତେ ଆଶା ନାହିଁ ।

 

 

ରୁକ୍ମିଣୀ-

ତେବେ ନାଥ, ମୋତେ କଣ କହୁଛନ୍ତି ?

 

 

ଶ୍ରୀକୃଷ୍ଣ-

ଦେବୀ ! ମୋର ଇଚ୍ଛା ତୁମ୍ଭେ ପୂରଣ କରିବ ।

 

 

ରୁକ୍ମିଣୀ-

ତେବେ କି ଆଜ୍ଞା ହେଉଛି ହେଉ; ତାହା ନିଶ୍ଚୟ ଏ ଅଧୀନା ପ୍ରତିପାଳନ କରିବ ।

 

 

ଶ୍ରୀକୃଷ୍ଣ-

ପ୍ରିୟେ ! ତୁମ୍ଭେ ଚରାଚରର ପାଳନକର୍ତ୍ତୀ; ସ୍ୱୟଂ ଅନ୍ନପୂର୍ଣ୍ଣା, ତୁମ୍ଭେ କିଛିଦିନ ନିମିତ୍ତ ସଖାଙ୍କ ଗୃହରେ ବାସକଲେ ସଖାର ସମସ୍ତ ଅଭାବ ମୋଚନ ହୋଇଯାନ୍ତା ।

 

 

ରୁକ୍ମିଣୀ-

ଏକ୍ଷଣି ଯିବି ?

 

 

ଶ୍ରୀକୃଷ୍ଣ-

ନା ସଖୀ, ସଖା ବିଦାୟ ହୋଇଗଲେ ପଛରେ ଯିବ । ଏଇତ ସଖା ୟାଡ଼କୁ ଆସୁଛନ୍ତି-

 

 

ସୁଦାମା-

(ସ୍ୱଗତ) ଆହା ସଖାଙ୍କଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନ ଥିଲା । ଏ ଦରିଦ୍ରଠାରେ ଏତେ ସ୍ନେହ, ଏତେ ଆଦର ନ ହେଲେ କି ଦୀନବନ୍ଧୁ ନାମ ବୋଲାଇ ଥାନ୍ତେ । ମୋର ତ ସବୁ ସୁଖ ହେଉଛି, ସାଡ଼େ ଯେ ସୁମତି କଣ ଅବସ୍ଥା ହେଉଥିବ ସେ କଥା ଭାବିଲା ବେଳକୁ ମନ କଣ ହୋଇ ଯାଉଛି । (ପ୍ରକାଶ୍ୟେ) ସଖା ! ମୋର ଗୋଟିଏ ନିବେଦନ ଘେନା କରନ୍ତୁ ।

 

 

ଶ୍ରୀକୃଷ୍ଣ-

ସଖା କି ନିବେଦନ ।

 

 

ସୁଦାମା-

ତୁମ୍ଭଙ୍କୁ ଦର୍ଶନ କରିବାକୁ ଆସି କେତେଦିନ ବହୁ ସୁଖରେ ରହିଗଲିଣି, କିନ୍ତୁ ସଖୀ ତୁମ୍ଭର ମୋ ଲାଗି ବଡ଼ ଭାବାନାରେ ଥିବେ । ସେଥିଯୋଗୁଁ ବିଦାୟ ନେବାକୁ ଆସିଲି ।

 

 

ଶ୍ରୀକୃଷ୍ଣ-

ବର୍ତ୍ତମାନ, ଗୋଟାଏ କଥା, କେଇଟାଦିନ ରହିଲ ଯେ, ଆଉ ଚାରିଦିନ ରହିଯା ଯିବ ତ-। ଆଉ ପୁଣି ଯାଇ କେବେ ଦେଖା ହେବ, ସଖୀ ଏକା ତୁମ୍ଭ ବିହୀନେ ଦୁଃଖ ପାଉଥିବେ ନାହିଁ । ଯିବାକୁ ଯେତେବେଳେ ବାହାରିଲଣି ଯାଅ, ପୁଣି କେବେ ଆସିବ କହିଲ ?

 

 

ସୁଦାମା-

ଯେଉଁଦିନ ତମର ଡୋରି ଲାଗିବ ।

 

 

ଶ୍ରୀକୃଷ୍ଣ-

ସଖୀଙ୍କୁ କହିବ ମୁଁ ତାଙ୍କ ଖୁଦଭଜା ଖାଇ ଧନ୍ୟ ହେଲି ।

 

 

ସୁଦାମା-

ହଉ ବନ୍ଧୁ ! କହିବି ଆଉ ସଖୀ-

 

 

ଶ୍ରୀକୃଷ୍ଣ-

ହଁ ସଖୀ ସବୁବେଳେ ଭାବି ହେଉଥିବେ ଆଉ ବଳାଇବା ମୋର ଉଚିତ ନୁହେ ।

 

 

ସୁଦାମା-

(ସ୍ୱଗତ) କ’ଣ କରିବି, ଏ ତ କଥା କୁହାଇ ଦେବେ ନାହିଁ । ମୋ ପାଟିରୁ ନ ଭାରୁଣୁ ଆଗକରି ମାଡ଼ି ବସୁଛନ୍ତି । ମୁଁ ଏପରି ସ୍ଥଳେ ଧନ ବା କିପରି ମାଗିବି । ନାହିଁ ମାଗିବି ନାହିଁ, (ପ୍ରକାଶ୍ୟେ) ସଖା ! ମୁଁ ଆସୁଛି ।

 

 

ଶ୍ରୀକୃଷ୍ଣ-

ଯେପରି ଅଳ୍ପଦିନେ ଦେଖାହୁଏ, ତା’ର ଚେଷ୍ଟାକରିବ ।

 

 

ସୁଦାମା-

ମା ! ତେବେ ମୁଁ ବିଦାୟ ନେଉଛି ।

 

 

ରୁକ୍ମିଣୀ-

ସଖୀଙ୍କୁ କହିବ ତାଙ୍କ ସଖାଙ୍କ ପାଇଁ ଖୁଦଭଜା ଦେଲେ ମୋପାଇଁ କିଛି ଦେଲେ ନାହିଁ, କହିବେ ମୁଁ ବି ସେଥିରୁ ମୁଠାଏ ଖାଇ କୃତାର୍ଥ ହୋଇଛି ।

 

 

ସୁଦାମା-

(ସ୍ୱଗତ) କହିବି କହିବି କହି ପାରିଲି ନାହିଁ, ମନକଥା ମନରେ ରହିଲା, ଦବାଳଥା କାହାରି ତୁଣ୍ଡରେ ତ ନାହିଁ, ନା, ମାଗିବି ନାହିଁ । ପଛେ ବାରଦ୍ୱାର ବୁଲି ଏ ଓଳି ସେ ଓଳି ଭିକମାଗିବି । କେଭେ ମାଗିବି ନାହିଁ । ସୁମତି ପଛେ ଯାହା କହିବାର କହୁ [ପ୍ରକାଶ୍ୟେ] ସଖା ! ମୁଁ ଚାଲିଲି ।

 

 

ଶ୍ରୀକୃଷ୍ଣ-

ସଖା ! ସେ କଥା ତ କେତେଥର କହି ସାରିଲଣି, ଜଣାଗଲା; ଖାଲି କ’ଣ ଯିବ; ଗୋଟାଏ କିଛି ପରିଚୟ ନେଇଯାଅ ସଖୀଙ୍କୁ ଦେବ, (ଗଳାରୁ କୌସ୍ତୁଭମାଳଟି କାଢ଼ି-) ନିଅ ଏ ମାଳାଟି ନିଅ ।

 

 

ରୁକ୍ମିଣୀ-

ଏ ମାଳା ସାମାନ୍ୟ ନୁହେଁ, ୟାକୁ ଯାହା କହିବ ତା ଦେବ, କିନ୍ତୁ ସାବଧାନ କରି ରଖିଥିବ ।

 

 

ସୁଦାମା-

ହଉ ପ୍ରଭୁ ଆସୁଛି, ମର୍କଟକୁ ମୋତିମାଳ ।

 

(ପ୍ରସ୍ତାନ)

 

 

 

(ଗୀତ)

(କି ଯଶା ପଡ଼ିଲା- ବୃତ୍ତେ)

ସଖା ନେଲି ମେଲାଣି

ତବ ସ୍ନେହେ ହୋଇ ବନ୍ଧା ଜନ୍ମ ସାର୍ଥ କଲିଣି ।

ମୁଁ ମୂଢ଼ ମୂର୍ଖ ଅଜ୍ଞାନୀ,      କ୍ଷମା ଦେବ ଦୀନମଣି

ତବ ଶ୍ରୀଚରଣେ ଋଣୀ ଆଜୁଁ ମୁହିଁ ହେଲିଣି । ୧ ।

ହେ ପ୍ରଭୁ କରୁଣାମୟ,      ଦାସେ ଥିବେଟି ସହାୟ

ଏ ନିରାଶ୍ରୀରେ ଆଶ୍ରୟ ଦିଅ ଯେବେ ଦେଲଣି । ୨ ।

 

 

 

ପ୍ରଭୁ ! ସଦାଦିନେ ଯେପରି ଆପଣଙ୍କ ପଦ୍ମପାଦେ ସ୍ଥାନ ପାଇବି ଏହି ମୋର କାମନା-

 

 

ନାରଦ-

ପ୍ରଭୁ ! ମୁନି ଋଷିମାନେ ଜଙ୍ଗଲରେ ଫଳମୂଳ ଖାଇ କେ ଅବା ନିରାହାରରେ ବାୟୁ ସେବନ କରି ଆପଣଙ୍କ ପାଦପଦ୍ମରେ ସ୍ଥାନ ପାଇ ପାରୁ ନାହାନ୍ତି । ଏ ତ ସାମାନ୍ୟ ଗରିବ ବ୍ରାହ୍ମଣ । ଜଗନ୍ନାଥ ସ୍ୱୟଂୟାଙ୍କର ପଦଧୌତ କରି ଦେଲେ, ଆଉ ଆପଣଙ୍କ ଶ୍ରୀଅଙ୍ଗ- ମାଳା ତାଙ୍କୁ ପ୍ରଦାନ କଲେ, ବଡ଼ ଆଶ୍ଚର୍ଯ୍ୟର ବିଷୟ ।

 

 

ଶ୍ରୀକୃଷ୍ଣ-

ଦେବର୍ଷେ ! ସୁଦାମାର ମୋ ନାମ ଛଡ଼ା ଆଉ କାହିଁରେ କାମନା ନାହିଁ । ସେ ମୋତେ ଭକ୍ତିରେ କିଣି ନେଇଛି । ଯଦି ପରୀକ୍ଷା କରିବାକୁ ଇଚ୍ଛାକର ତା’ର ଅନୁଗାମୀ ହୁଅ ।

————————

 

ତୃତୀୟ ଦୃଶ୍ୟ

( କମଳି ଅପା ଫାର୍ଶ )

ପୁରୁଷ-

କହ କମଳି ଅପା ତୋ

 

କମଳା ଯୋଡ଼ି କେତେ ।

 

 

ସ୍ତ୍ରୀ-

ନେଲା ମୁହଁ ଦିଶୁ ନାହିଁ

 

କିଆଁ ଫଟାଉଛୁ ମୋତେ । ପଦ ।

 

 

ପୁ-

ଆଲୋ ନେଲା ଲୋକ କେଉଁ ଭଳି

 

କହିଲୁ ଭଲା ଛଇଳି ।

 

 

ସ୍ତ୍ରୀ-

ଶୁଣିବୁରେ ଗାତଚୂଲି

 

ରସିକ ରସନ୍ତି ଏଥେଁ ।

 

 

ପୁ-

କମଳାକ୍ଷୀ ତୋ କମଳା,

 

କେମନ୍ତେ ସ୍ୱାଦଟି ଭଲା,

 

 

ସ୍ତ୍ରୀ-

ନଗଦ ପାଚିଲା ତୋଳା

 

କହି ନୁହେଁ ରସ ଯେତେ ।

 

 

ପୁ-

ସେ ରସ ପିଇବା ପାଇଁ

 

ମନ ମୋର ହାଇଁପାଇଁ,

 

 

ସ୍ତ୍ରୀ-

କମରୁ ଟଙ୍କା ଫିଟାଇ

 

ନିଅ ବାଛି ହାତେ ହାତେ ।

 

 

ପୁ-

ଆଜିକି ଦେଇଥା କାଳି,

 

ଟଙ୍କା ନେବୁ ଆରଓଳି,

 

 

ସ୍ତ୍ରୀ-

ରଖିଥା ତୋ ଭଳାଭଳି

 

ଖାଇଲା ମୁହଁଟି ସତେ ।

 

 

ପୁ-

ଯେବେ ହେବ ହାତପୂରା

 

ତହିଁ କି କିସ ତୋ ଚାରା,

 

 

ସ୍ତ୍ରୀ-

ସେ ଆଣ୍ଟ ଛାଡ଼ ଛତରା

 

ଖଡ଼ୁ କଚାଡ଼ିବି ମାଥେ ।

 

 

ପୁ-

ହଇଲୋ ! କମଳି ଅପା ଯେବେ ତୋ ପସରା ମୁଁ ଯବରଦସ୍ତ ଧରିବି ?

 

 

ସ୍ତ୍ରୀ-

ଜାଣିଥା, ଏ ପିତଳଖଡ଼ୁରେ ତୋ ତାଳୁ କଣା କରିବି ।

 

 

ପୁ-

ମୁଁ ମରଦଟାଏ, ତୁ ମାଇକିନିଆଟାଏ, କ’ଣ ବଳାଇ ଯିବୁ ।

 

 

ସ୍ତ୍ରୀ-

ଆରେ ଯା ରେ ମୁଁ କେତେ ମରଦ ଦେଖିଛି । ତୁ ଆମ ଗୋଡ଼ ମୋଡ଼ିବୁ ।

————————

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

ସୁମତି-

ହା ଦଇବ । ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ । ସେ ତ ଜମା ମଙ୍ଗୁ ନ ଥିଲେ କାହିଁକି ବାଧ୍ୟକରି ପଠାଇଲି । ଅଧିକ ଖାଇବାକୁ ମନକରି ଏବେ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।

 

 

 

(ଗୀତ)

(ପଦ ଆଉ- ବୃତ୍ତେ)

ଚାହିଁ ଚାହିଁ ଆଖି ଲୁହ ଆଖି କଣେ ମଲାଣି । ପଦ ।

କି ଧନରେ ହୋଇ ବାଇ,

ନାଥଙ୍କୁ ଦେଲି ପଠାଇ

ନ ଫେରିଲେ କାହିଁପାଇଁ,

ଯୁଗ ଗୋଟା ହେଲାଣି । ୧ ।

 

 

 

ମୁଁ ପାପିଷ୍ଠ କ’ଣ କଲି, ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠାଇଦେଲି । କ’ଣ ଅଭିମାନ କରି ରହିଲେ ।

 

 

 

(ଗୀତ)

ଅବା ପଥ ବଣା ହୋଇ

କେଣିକି ଗଲେ ଚଳାଇ,

କେଉଁ ପ୍ରେମିକା ବଳାଇ

ବଶ ତାଙ୍କୁ କଲାଣି । ୨ ।

 

 

 

ଆଉ କ’ଣ କେଉଁ ରସିକାର ପ୍ରେମ ଫାନ୍ଦରେ ପଡ଼ି ଏ ଅଭାଗିନୀକୁ ପାସୋରି ଦେଲେଣି । ନା ମନ ତ ମାନୁ ନାହିଁ । ସେ ତ ସେପରି ଲୋକ ନୁହନ୍ତି ।

 

 

 

(ଗୀତ)

କୃଷ୍ଣ ହେ ଜୀବନ ସଖା

ମୋ କାନ୍ତକୁ କର ରକ୍ଷା ।

ସତ୍ୱରେ ପାଇବି ଦେଖା

ହଂସା ଉଡ଼ିଗଲାଣି । ୩ ।

 

 

 

ହେ ହରି ! ହେ କୃଷ୍ଣ ! ହେ ସଖା ! ତୁମ୍ଭେ ମାତ୍ର ମୋହର ସାହା । ମୋର ସ୍ୱାମୀଙ୍କୁ ଶୀଘ୍ର ଫେରାଇ ଆଣନ୍ତୁ ।

 

 

 

ଛଦ୍ମବେଶୀ ସନ୍ନ୍ୟାସିନୀ ଗୀତ ।

(ହାଇରେ ଦାରୁଣ ବିହି- ବୃତ୍ତେ)

ପୀରତି ବନ୍ଧନ ବଡ଼ ଭୀଷଣଟି ଜଗତେ ।

ଅନୁଭବୀ ଜାଣେ ତାହା ଆନ ନ ଯିବେ ପରତେ । ୧ ।

 

ଯେସନେ ଚୁମ୍ୱକେ ଲୁହା,

ତେହ୍ନେ ନର-ନାରୀ ମାୟା,

ସେ ଭାବେ ବନ୍ଧା ଯା ହିଆ

ବିଚ୍ଛେଦେ ତା ହୃଦ କରତେ । ୨ ।

 

 

ସୁମତି-

ଆହା ! ଏ ମାଇପିଟି କିଏ କେଡ଼େ ବିକଳରେ ଗୀତ ଗାଇ ଗାଇ ଆସୁଛି । କିଏ ଝିଅ ! କୁଆଡ଼େ ଆସୁଛୁ ?

 

 

ସନ୍ନ୍ୟାସିନୀ-

ମା, ମୁଁ ଜଣେ ଦରିଦ୍ରା, ମୋତେ ଟିକିଏ ତୋ ଘରେ ଆଜି ସ୍ଥାନ ଦେବୁ, ମୁଁ ସକାଳୁ ଉଠି ଚାଲିଯିବି ।

 

 

ସୁମତି-

ଝିଅ ତୋ ଘର କେଉଁଠି ?

 

 

ସନ୍ନ୍ୟାସିନୀ-

ମା, ମୋ ଘର ବହୁତ ଦୂର, ପୋଡ଼ା କରମ ତ କ’ଣ କହିବି ?

 

 

ସୁମତି-

ତମର ଗେରସ୍ତ ଅଛନ୍ତିଟି ?

 

 

ସନ୍ନ୍ୟା-

ସେ କଥା ତୁଣ୍ଡରେ ଧରନା ମା, ତାଙ୍କର ଜ୍ୱାଳାରେ ଏତେ ସରି ।

 

 

ସୁମତି-

ତମ ରୂପ ତ ଏପରି, ସେ କାହିଁକି ଅନାଦର କଲେ ।

 

 

ସନ୍ନ୍ୟା-

ମା’ ପୁରୁଷମାନଙ୍କ ସ୍ୱଭାବ ସେଇଆ, ତମର ଗେରସ୍ତ ଅଛନ୍ତି ?

 

 

ସୁମତି-

ହଁ ଅଛନ୍ତି, ମୁଁ ତାଙ୍କୁ ଦ୍ୱାରିକାକୁ ପଠାଇ ବର୍ତ୍ତମାନ ଚାହିଁ ଚାହିଁ ଥକିଲିଣି ।

 

 

ସନ୍ନ୍ୟା-

କିଛି ଚିନ୍ତା ନାହିଁ ମୋତେ ଟିକିଏ ଆଶ୍ରା ଦେ ।

 

 

ସୁମତି-

(ସ୍ୱର୍ଗତ) କ’ଣ କରିବି, ଅତିଥିଙ୍କୁ ଅନାହାରରେ କିପରି ରଖିବି, ପୂର୍ବ ଜନ୍ମରେ କି ପାପ କରିଥିଲି ଏ ଜନ୍ମରେ ଏ କଷ୍ଟ ଭୋଗିବାକୁ ହେଉଛି, ମୁଁ ତ ଦି’ଦିନ ହେଲା ଅନାହାର, ୟାଙ୍କୁ ବା କ’ଣ ଦେବି । (ପ୍ରକାଶ୍ୟେ) ଝିଅ ତମେ ବସ ମୁଁ ଟିକିଏ ଆସେ-

 

 

ସନ୍ନ୍ୟା-

ମା ! ଏ ସମୟରେ କୁଆଡ଼େ ଯିବ ?

 

 

ସୁମତି-

ଘରେ ପାଣି ନାହିଁ, କାଠ ନାହିଁ, ଆଣିବାକୁ ଯିବି ।

 

 

ସନ୍ନ୍ୟା-

ମୋତେ ଭଣ୍ଡାଇବାକୁ ବସିଛ, ମା, ଯେଉଁଥି ପାଇଁ ମନରେ କଷ୍ଟ ସେ ଆଶା ଭଗବାନ୍ ଅଚିରେ ମେଣ୍ଟାଇ ଦେବେ । ନିଅ ମୋ କାନିରେ ମୁଠିଏ ଚାଉଳ ଅଛି ତାକୁ ରାନ୍ଧି ଉଭୟେ ଖାଇବା । ସକାଳେ ଯେଣେ ଇଚ୍ଛା ଯିବି ।

 

 

ସୁମତି-

ମା, ଏ କ’ଣ, ଏ କ’ଣ ? ମୁଁ ସିନା ତୁମ୍ଭର ଚର୍ଚ୍ଚା କରନ୍ତି, ତୁମ୍ଭେ ଲେଉଟି ମୋତେ ଚର୍ଚ୍ଚା କରୁଛ ।

 

 

ସନ୍ନ୍ୟା-

ମା ! ଯଦି ସେପରି ଭାବ ମନରେ ଆଣିବ ତ ବର୍ତ୍ତମାନ ମୁଁ ଯାଉଛି ।

 

 

ସୁମତି-

ନା ମା ! ଆ, ଆ, ତୁମ୍ଭର ଇଚ୍ଛାମତେ ନିଶ୍ଚୟ କାର୍ଯ୍ୟ କରିବି ।

————————

 

ଦ୍ୱିତୀୟ ଦୃଶ୍ୟ

(ଇନ୍ଦ୍ରସଭା)

ଇନ୍ଦ୍ର-

ଦେବବୃନ୍ଦ ! ଗତରାତ୍ରେ ଶୋଇଛି ମୁଁ ଶୟନ ମନ୍ଦିରେ, ଏକ ଅଦ୍ଭୁତ ସ୍ୱପନ ହେଲା ମୋର ଦୃଷ୍ଟ, ତାହା ଶୁଭ କି ଅଶୁଭ ନ ପାରୁଛି ଜାଣି ।

 

 

ଦେବଗଣ-

କି ସ୍ୱପନ ଦେବରାଜ ! ପ୍ରକାଶନ୍ତୁ ଥରେ ।

 

 

ଇନ୍ଦ୍ର-

ମର୍ତ୍ତ୍ୟବାସୀ ଜଣେ ଭକ୍ତିବଳେ କିଣିଅଛି ଶ୍ରୀକୃଷ୍ଣଙ୍କ ମନ, ତେଣୁ ସନ୍ଦେହ ଉପୁଜେ ମୋ ମନେ, ନ ମାଗେ ତ ସେହି ଭକ୍ତ ମମ ଇନ୍ଦ୍ରପଦ ଗୋଟି ପ୍ରଭୁଙ୍କ ନିକଟେ ।

 

 

ଅଗ୍ନି-

ପୁରନ୍ଦର ! ସ୍ୱପ୍ନ କଥା କେବେ କି ବିଶ୍ୱାସ ଯୋଗ୍ୟ ? (ନେପଥ୍ୟେ ବୀଣାନାଦ)

 

 

ବରୁଣ-

ଏହି ତ ଶୁଭେ ବୀଣାନାଦ, ଦେବର୍ଷି ଆସୁଛନ୍ତି ପରା ?

 

 

ଅଗ୍ନି-

ଆସନ୍ତୁ ବୁଝିବା ସବୁ । (ନାରଦଙ୍କ ପ୍ରବେଶ)

 

 

ଇନ୍ଦ୍ର-

ଦେବର୍ଷେ ! ଜାଣ କିଛି ମର୍ତ୍ତ୍ୟର ଖବର, ଶୁଭାଶୁଭ ପ୍ରକାଶନ୍ତୁ ଥରେ ।

 

 

ନାରଦ-

କି କହିବି ମର୍ତ୍ତ୍ୟପୁର କଥା, ଅବନ୍ତିର ଜଣେ ଭିକ୍ଷୁକ, ସେ ବ୍ରାହ୍ମଣ-ଥିଲା କେବେ ଶ୍ରୀକୃଷ୍ଣଙ୍କ ବାଲ୍ୟସଖା, ଭକ୍ତିବଳେ ମନାଇ ଶ୍ରୀକୃଷ୍ଣେ ନେଇ ଅଛି ଶ୍ରୀଅଙ୍ଗର ମାଳା ।

 

 

ଇନ୍ଦ୍ର-

କ୍ଷତି ତେବେ ଅଛି ତହିଁ କିସ ?

 

 

ନାରଦ-

ସେ ମାଳାରେ ଅଦ୍ଭୁତ ଶକ୍ତି ଅଛି, ବର୍ତ୍ତମାନ ଯଦି ବ୍ରାହ୍ମଣ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ଯାହା ହେବାକୁ ଇଚ୍ଛା କରିବ ତା ଅନାୟାସେ ହୋଇ ପାରିବ ।

 

 

ଇନ୍ଦ୍ର-

ଗୀତ

(କି ବୁଦ୍ଧି କରିବି- ବୃତ୍ତେ)

(ଦେବେ)-ସରିଲା ସମ୍ପଦ ରେ,

ଅକସ୍ମାତ କାହୁଁ ଆସି ପଡ଼ିଲା ବିପଦ । ୦ ।

ଦେବବୃନ୍ଦ ! ବର୍ତ୍ତମାନ କ’ଣ କରିବି ?

 

(ଗୀତ)

ଶ୍ରୀକୃଷ୍ଣ ଶ୍ରୀଅଙ୍ଗମାଳା      ଦେଲେ ସୁଦାମାର ଗଳା,

ନିଶ୍ଚେ ବୁଡ଼ିଲା ମୋ ଭେଳା

ସହ୍ୟ ନୁହେ ହୃଦରେ । ୧ ।

ଦେବର୍ଷେ ! ତୁମ୍ଭର ମୋର କ’ଣ ଏତିକି ? ଆଉ

ସ୍ୱର୍ଗ- ସୁଖ ମୋ ଭାଗ୍ୟରେ ନାହିଁ ।

 

 

ନାରଦ-

ଦେବରାଜ ! ତା’ର ଉପାୟ କରିବ ଯେପରି ବ୍ରାହ୍ମଣଠାରୁ ମାଳାଟି ଅପହରଣ ହୋଇ ଆସିବ ।

 

 

ଇନ୍ଦ୍ର-

(ଗୀତ)

କହ ଦେବ କି କରିବି,       କେମନ୍ତ ମାଳା ହରିବି

ହୃଦେ ନ ପାରୁଛି ଭାବି

ଦିଅ ମୋତେ ଭେଦରେ । ୨ ।

 

 

 

ଦେବର୍ଷେ ! ଉପାୟ ଦିଅ, କି କୌଶଳରେ ବ୍ରାହ୍ମଣଠାରୁ ମାଳା ଆଣି ପାରିବି ।

 

 

ନାରଦ-

ଦେବରାଜ ! ମାୟା କାମିନୀମାନଙ୍କୁ ପଠାନ୍ତୁ ସେ ବ୍ରାହ୍ମଣଙ୍କୁ ପଥରେ ପ୍ରେମାକାଙ୍‌କ୍ଷା ଦେଖାଇ ମାଳାଟି ଘେନି ଆସିବେ ।

 

 

ଇନ୍ଦ୍ର-

ଦେବର୍ଷେ ! ଯଥାର୍ଥ କହିଛନ୍ତି, ବର୍ତ୍ତମାନ ମାୟା କାମିନୀମାନଙ୍କୁ ଡକାଇ ଆଦେଶ ଦେଉଛି, ସେ ଶୀଘ୍ର ତା’ର ପ୍ରତିକାର କରନ୍ତୁ, ଆଜି ଏତିକିରେ ସଭା ଭଙ୍ଗ ହେଉ ।

————————

 

ତୃତୀୟ ଦୃଶ୍ୟ

(ଗୀତ)

(କିରେ ଶୁଭୁ ନାହିଁକି- ବୃତ୍ତେ)

ମାଳତୀ -

କିରେ ଗାତ- ପଶାଟି

 

(ଚୂଲିପଶାଟି) ମରୁ ନାହୁଁ ।

 

 

ମଧୁ-

ନ ବୁଝି ଅବସ୍ଥା କିଆଁ ହେଉ ଖପା

 

ମୁଁ ଅରଜି ପାରିବି ଅବା କାହୁଁ ।

 

 

ମାଳତୀ-

ଭିକ ମାଗିବାକୁ ଗଣ୍ଡି ଚଳୁ ନାହିଁ

 

ଗୋଟେ ବେକରେ ବାନ୍ଧିଲୁ କାହିଁ ପାଇଁ ।

 

 

ମଧୁ-

ସେତେବେଳେ ଗୋଡ଼ ଚଳୁଥିଲା ମୋର

 

ସ୍ୱଚକ୍ଷୁରେ ତୁ କି ଦେଖିନାହୁଁ ।୧।

 

 

ମାଳତୀ-

ନଈଶୁଆ ଯେବେ ଅଛି ଭଲଗତି,

 

ବାର ଗାଁ ବୁଲି ଆଣ ଭିକ୍ଷାମୁଷ୍ଠି ।

 

 

ମଧୁ-

ଯଷ୍ଟି ଧରି ଠିଆ ହେବା ଶକ୍ତି ନାହିଁ,

 

ମାରିପକା ହେଲେ ଜୀବ ଯାଉ ।

 

 

ମାଳତୀ-

ଆଜି ପିଟିପାଟି ଦେବି ସାରା କରି,

 

ଲୋଡ଼ାନାହିଁ ମୋ ଘଇତା ତୋହପରି ।

 

 

ମଧୁ-

ହେ ଭଗବାନ ନିଅ ଏ ପରାଣ

 

ନ ସହି ପାରିବି ୟାର ଦାଉ ।

 

 

ମାଳତୀ-

ହଇରେ ଖଣ୍ଡିଆ, କେଉଁ ଭଗବାନଙ୍କୁ ଡାକୁଛୁ ? ଭଗବାନ୍‌ ତୋ ବାରିତଳେ ପଡ଼ିଛନ୍ତି କି ? ତୋ କଥା ଶୁଣି ଦଉଡ଼ି ଆସିବେ । ଗାତପଶା ଆଜି ଗାତକୁ ଯା ।

 

 

ସୁଦାମା-

ହାଁ, ହାଁ, ଏ କ’ଣ ? ମରିଯିବ, ମରିଯିବ ।

 

 

ମାଳତୀ-

କିଏ ରେ ନଈଶୁଆ, କଜଳପାତିଆ ଭଲଲୋକ ହୋଇ ଆସିଲା ।

 

 

ସୁଦାମା-

ବାପରେ ! ଏତ କାଳଭୈରବୀ, ମୂର୍ତ୍ତିଟି କିଏ, ହିସାବ କରି ମାର ।

 

 

ମାଳତୀ-

ହଁ, ମୁଁ ଭୁଲିଛି, ଏକ ଦୁଇ ତିନି ।

 

 

ସୁଦାମା-

ହାଁ, ହାଁ, ଏ ତ ପକ୍‌କା ମାଇକିନିଆ । କିହୋ ମୁଁ କ’ଣ କହିଲି ହିସାବ କରି ଗଣିକରି ମାର, ବିଚରା ମରିଯିବ ।

 

 

ମାଳତୀ-

ତୁ ଗୋଟାଏ କ’ଣ ବୋକା ନା ତମ ବଉଁଶରେ କିଏ ବୋକା ଥିଲା । କିରେ ସେ ମଲେ ଭଲ ।

 

 

ମଧୁ-

ଓହୋ, ଗୋସେଇଁ ! ମୋତେ ମାରି ପକାଇଲା ହୋ ।

 

 

ମାଳତୀ-

ମଲା ମୋ ସୁଆଗ, ଗୋସେଇଁଙ୍କ ଲାଖରାଜିରେ ମୋ ଘର, ମୋତେ ଉଠେଇ ଦେବେ । ମୋତେ ପୁଲିସରେ ଦେବେ । ନଈଶୁଆ ପାଟି ଧରି ଚିରି ଦିଅନ୍ତି ।

 

 

ସୁଦାମା-

ଥାଉ,ଥାଉ, ଯାହା ମାରିବାର ତ ମାରିଲଣି ।

 

 

ମାଳତୀ-

ଏଇଟା କିଏରେ, ଆମର ଘଇତା ମାଇପ କଥାବାର୍ତ୍ତା ପଡ଼ିଛି, ତୋର ପାଟି ଫିଟାଇବାର ଦରକାର କ’ଣ ?

 

 

ସୁଦାମା-

(ସ୍ୱଗତ) ମୁଁ ତ ଏଡ଼ୁଟିଏ ହେଲିଣି; ଘଇତା ମାଇପ ଏପରି ହେବା କେବେ ଦେଖିନାହିଁ, ଧନ୍ୟ ତମ ଘଇତା ମାଇପ କଥାବାର୍ତ୍ତା ।

 

 

ମାଳତୀ-

ହଇହେ, ଏ ଖଣ୍ଡିଆକୁ ପଚାର ବାହାହେଲା ବେଳେ ନିଶ ଫୁଲାଇ ବେଦି ଉପରେ ବସୁଥିଲା; ଏତେବେଳକୁ ଚୁପ, ପେଟ ତ ପୋଡ଼ି ଯାଉଛି, ମୁଁ କ’ଣ ବୁଝିବି ?

 

 

ସୁଦାମା-

(ସ୍ୱଗତ) ବାସ୍ତବିକ କଥା, ସୁମତି ସିନା ଏଇ ପେଟଲାଗି ମୋତେ ଦ୍ୱାରିକା ପଠାଇଥିଲା । ପେଟ ପୋଡ଼ିଗଲାରୁ ସବୁ ବିଷ, ଆଚ୍ଛା ଶ୍ରୀକୃଷ୍ଣ ଯେଉଁ ମାଳାଟି ଦେଇଥିଲେ ତା’ର ପରା ଅଦ୍ଭୁତ ଶକ୍ତି ? ତେବେ ଏଇଆକୁ ଦେଇ କଷ୍ଟରୁ ମୁକ୍ତ କରାଇବି । ମୁଁ ତ ସବଳ ଅଛି, ପଛେ ଭିକ୍ଷାମାଗି ଉଦର ପୂରଣ କରିବି । ( ମାଳା ପ୍ରଦାନ ଓ ମଧୁ ମାଳ ପାଇ ସୁସ୍ଥକାୟ ହୋଇ ସୁଦାମାର ଚରଣ ଧରି ସାଷ୍ଟାଙ୍ଗେ ପ୍ରଣିପାତ )

 

 

ନାରଦ-

(ହଠାତ୍‌ ପ୍ରବେଶି ହାତଧରି ପକାଇ) ଏ କ’ଣ, ଏ କ’ଣ, ଦିଅ ନାହିଁ, ଦିଅ ନାହିଁ, ଏହାଦ୍ୱାରା ତୁମ୍ଭେ ଇନ୍ଦ୍ରତ୍ୱ ଭୋଗ କରିବ ।

 

 

ସୁଦାମା-

ସନ୍ନ୍ୟାସୀ ! ତୁମ୍ଭେ ଯା କହିଲ ସତ୍ୟ, କିନ୍ତୁ ତୁମ୍ଭର ଲୋଭ ଛାଡ଼ି ନାହିଁ ।

 

 

ମାଳତୀ-

ଆପଣ କିଏ ? ମୁଁ ପାପିଷ୍ଠା ଅଚିହ୍ନାରେ କେତେ ଗାଳି ଦେଲି । ମୋ ଦୋଷ କ୍ଷମା କରନ୍ତୁ ।

 

 

 

(ସାଷ୍ଟାଙ୍ଗେ ପାଦଧରି ପ୍ରଣିପାତ)

ନାରଦ-

ଧନ୍ୟ ସୁଦାମା ! ତୋ ନିକଟରେ ପରାଜିତ ନିଶ୍ଚୟ ହେଲି । ତୁମ୍ଭେ ହିଁ ପ୍ରକୃତ ପ୍ରଭୁଙ୍କର ଉପଯୁକ୍ତ ।

————————

 

ଚତୁର୍ଥ ଦୃଶ୍ୟ

 

(ସୁମତି ପୋଖରୀକୂଳେ ମାଠିଆ ଘେନି ଗୀତ)

ଏ ପୋଡ଼ା କରମେ ବିହି ଏହା ଥିଲୁ କିମ୍ପା ଲିହି ।

ନ ନେଇ ଅଲୋଡ଼ା ପ୍ରାଣ ହଟାଇଲୁ କାହିଁ ପାଇଁ ।୦।

 

ଅଚିନ୍ତା ହୋଇ ଜୀବେଶ, ରହିଲେ ଯାଇ ବିଦେଶ,

ଗୃହେ ଅତିଥି ପ୍ରବେଶ କେମନ୍ତେ ପୂଜିବି ମୁହିଁ ।୧।

 

ଆଉ ଏ ନିର୍ଲ୍ଲଜ ପ୍ରାଣ, ରଖିନାହିଁ ପ୍ରୟୋଜନ,

ସାକ୍ଷୀ ତୁହି ନାରାୟଣ ଏ ଜଳେ ଝାସିବି ଯାଇଁ ।୨।

 

 

 

 

ନାଥ ! କେବଳ ଏହି ଆଶା ରହିଲା । ମରିବା ପୂର୍ବରୁ ଥରେ ଆପଣଙ୍କ ଶ୍ରୀମୁଖ ଦେଖିଥାନ୍ତି-। ଯାହାହେଉ ପରଜନ୍ମରେ ଆପଣଙ୍କ ପୋଇଲି ହୁଏ, କୃଷ୍ଣ ହେ ! ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ, ଏଇଥର ବିଦାୟ ନେଲି, (ସଚକିତେ) ଏ କ’ଣ; କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଟୋପାଏ ତ ପାଣି ନାହିଁ । ଏ ପୋଖରୀ ନା ମୃଗତୃଷ୍ଣା ଏ ଫଟା କପାଳକୁ ସବୁ ବିଡ଼ମ୍ୱନା ।

 

 

 

[ ଶ୍ରୀକୃଷ୍ଣ ଭାରୁଆବେଶେ ପ୍ରବେଶ ]

ଗୀତ (ସବୁଦିନେ ବୃତ୍ତେ)

ମୋ ପ୍ରେମେ ବନ୍ଧା ଯେ ନର,

ମୁହିଁ ତା’ର କିଣା ଚାକର ।

ଭକ୍ତ ମୋର ପ୍ରାଣର ଧନ, ଭକ୍ତ ଲାଗି ସହେ କଷଣ,

ଭକ୍ତ ଦୁଃଖେ ଦୁଃଖୀ            ଭକ୍ତ ସୁଖେ ସୁଖୀ

ଭକ୍ତ ଆଗେ ରଖି, ଥାଏଁ ପଛରେ ।୧।

 

 

କିଲୋ ମାଉସି-

ଏତେବେଳେ ଏକୁଟିଆ କେହି ତ ଗୋଟାଏ ପାଖରେ ନାହାନ୍ତି ଏଠି କ’ଣ କରୁଛୁ ?

 

 

ସୁମତି-

ଆଉ ହବ ନାହିଁ ଏପରି କଥା ତ କେବେ କାହିଁ ଦେଖି ନ ଥିଲି ।

 

 

ଭାରୁଆ-

ମାଉସି ! କ’ଣ ଦେଖି ନାହୁଁ, ଶୁଣି ନାହୁଁ ।

 

 

ସୁମତି-

ଯା’ରେ ତୋ ବାଟରେ ତୁ ଯିବୁ ମୋତେ ପଚାରିବା ଆବଶ୍ୟକ କ’ଣ ?

 

 

ଭାରୁଆ-

ମାଉସି ! କହ ମୋ-ରାଣଟି ?

 

 

ସୁମତି-

ଆରେ ବାଇଆ ! ରଙ୍କୁଣୀ ବୁଡ଼ି ମରିବାକୁ ଗଲେ ପୋଖରୀକ ପାଣି ଶୁଖିଯାଏ ।

 

 

ଭାରୁଆ-

ହଁ ଲୋ ମାଉସି; ଅଭାଗା ଛୁଇଁ ଦେଲେ ତ ମହା ମହା ସମୁଦ୍ର ଶୁଖିଯାଏ ।

 

 

ସୁମତି-

(ସ୍ୱଗତ) ଆହା ପିଲାଟିର ତ ବେଶ୍‌ ବୁଦ୍ଧି । (ପ୍ରକାଶ୍ୟେ) ହଁ ରେ ବାପ, ଏଡ଼େ ବଡ଼ ବୋଝ ନେଇ କେତେ ଦୂର ଯିବୁ ?

 

 

ଭାରୁଆ-

ମାଉସି ! ଏ ଗାଁର ସୁଦାମା ଗୋସାଇଁଙ୍କ ଘର କିଏ ?

 

 

ସୁମତି-

ହଇରେ ବାପ ସେ କାହାଁନ୍ତି ?

 

 

ଭାରୁଆ-

ମାଉସି ! ତୁ ତାଙ୍କ ଭୁଆସୁଣୀକି ?

 

 

ସୁମତି-

ହଁ ରେ ବାପ ! ସେ କେତେ ବାଟରେ ଅଛନ୍ତି ?

 

 

ଭାରୁଆ-

ଗୋସାଇଁ ଏ ଜିନିଷ ସବୁ ତାଙ୍କ ଘରକୁ ପଠାଇ ଅଛନ୍ତି, ଦେଖିଲାବେଳକୁ ତାଙ୍କ ଘରଣୀ ପୋଖରୀକୂଳେ ଠିଆ । ପୁଣି ଏକୁଟିଆ, ବାଃ ବାଃ ଆଛା ଭୁଆସୁଣୀ ତ ।

 

 

ସୁମତି-

ହଁ ରେ କହିବା ବେଳ ପଡ଼ିଛି, କରମ ପଡ଼ିଲାବେଳେ କୁକୁର ଗୋଇଠା ମାରେ, ତୁ ତ ମଣିଷ ।

 

 

ଭରୁଆ-

ମାଉସି ! ମୋର ଦୋଷ ମାଫ୍‌କର, ମୋର କାଇଲି ହୋଇଛି । ଆସ ଘରକୁ ଆସ, ତାଲିକା ଦେଖି ତମର ଜିନିଷତକ ରଖ ।

 

 

ସୁମତି-

ହଉ ଚାଲ ଚାଲ, (ଭାରର ସମସ୍ତ ଜିନିଷ ଓ ତାଲିକା ରଖି) ପୁଅ ତୋର କେତେ ମୂଲ ହେଲା ?

 

 

ଭାରୁଆ-

ମାଉସି ! ଗୋସେଇଁଙ୍କଠାରୁ ମୁଁ ଆଗରୁ ଛିଣ୍ଡାଇ ନେଇଛି, ଖାଲି ଜିନିଷ ଦବାତକ, ଏଥର ଚାଲିଲି ।

 

 

ସୁମତି-

ପୁଅ ! ତୋ ଘର କେଉଁଠି, ନାମ କ’ଣ, ତୁ କିପରି ତାଙ୍କୁ ଚିହ୍ନିଲୁ ?

 

 

ଭାରୁଆ-

ମାଉସି ! ଖୁବ୍‌ ପିଲାଦିନରୁ ତାଙ୍କ ସହିତ ମୋର ପରିଚୟ ଅଛି । ମୋ ନାଁ କହ୍ନେଇ, ଘର ବୃନ୍ଦାବନ, ଜାତିରେ ଗୋପାଳ, ମାଉସି ! ମୁଁ ଆସୁଛି ମୋତେ ବେଳ ଉଛୁର ହେଉଛି ।

————————

 

ପଞ୍ଚମ ଦୃଶ୍ୟ

ସୁଦାମା -       

ଗୀତ

( କେତେ ରଙ୍ଗରେ–ବୃତ୍ତେ )

ଏ ଦୁନିଆ କେତେ ସୁନ୍ଦର ମା’ !

ତନ ତନ କରି ଖୋଜି ସାରିଲିଣି,

ଗଢ଼ିଛୁ କେତେ ଛନ୍ଦର ମା ।ପଦ।

 

କେ ନିତି ଭୁଞ୍ଜୁଛି ଖିରିସା କାକରା

କାରେ ମିଳୁନାହିଁ ଖୁଦ-ଯାଉ ପୂରା,

କେ ନିନ୍ଦୁଛି ଖଟ ପଲଙ୍କ ସୁପାତି

କେ ଗଡ଼ୁଛି ଧୂଳିଦାଣ୍ଡରେ ମା’ ।

 

କେବା ନିନ୍ଦୁଅଛି ତେମହଲା କୋଠା,

କେ ପତ୍ର କୁଟୀରେ ହୁଏ ହଟହଟା,

କେବା ନିନ୍ଦୁଅଛି ପାଟ କ୍ଷୀରୋଦରୀ

କେ ମାଗୁଛି ଛିଣ୍ଡା ଚାଦର ମା’ ।

 

କିଏ ଧନୀ ପୁଅ ଧନରେ ଖେଳୁଛି

କିଏ ଯାଇଁ ତା’ର ଦୁଆରେ ଗଡ଼ୁଛି ,

କା’ର କୋଳେ ଅଛି ପଦ୍ମିନୀ ସୁନ୍ଦରୀ

କେ ମଚାଳେ ପଦ ରାଣ୍ଡର ମା’ ।

 

କାହାପାଇଁ ଲୋଡ଼ା ଖଟମାଠ ଶେଯ,

କାହାପାଇଁ ଦିନେ ଛ’କାଠିଆସଜ,

ଯା’ର ପାଦେ ଧୂଳି ଦିନେ ଲାଗି ନାହିଁ

ସେ ଦିନେ ଗଡ଼ୁଛି ଦାଣ୍ଡର ମା’ ।

 

କେ ପେଟ ଫୁଲାଇ ହୋଇଛି ମହନ୍ତ,

କିଏ ପେଟଲାଗି ହୁଏ ଛଟପଟ,

ଏ ଦୁନିଆ ହାଟ କି କରୁଛ ମାତ

ବାଳକୃଷ୍ଣ ନମେ ପଦର ମା’ ।

 

 

 

 

ଜଗତରେ ସଂସାରୀ ହେବା ବଡ଼ ଭୀଷଣ, କେତେ ଦିନେ ଆଉ ଗୃହରେ ପହୁଞ୍ଚିବି, ସୁମତି ମୋ ଲାଗି ବଡ଼ ବ୍ୟସ୍ତ ହେଉଥିବ, (ସଚକିତେ) ଏ କ’ଣ ନିବିଡ଼ ଜଙ୍ଗଲ ପ୍ରାନ୍ତର, ଏଠାରୁ ଏମାନେ କିଏ ଏ ମଧ୍ୟରୁ ଆସିଲେ ?

 

 

 

( ମାୟା- କାମିନୀଗଣଙ୍କ ପ୍ରବେଶ)

ଗୀତ

( ଆହା ଆଜ- ବୃତ୍ତେ )

 

ଆସ ରସିକରାଜ କୁଞ୍ଜକାନନେ ।

ପ୍ରେମେ ମାତି ଆଜି ରାତି କଟାଇବା ଯତନେ ।୦।

ଆମ୍ଭେ ବିରହିଣୀ ନାରୀ,       ବିରହେ ହେଉଛୁ ଘାରି

ଏ ଦୁଃଖ ମେଣ୍ଟା ଆମ୍ଭରି ଛନ୍ଦି ତବ ଚରଣେ ।୧।

 

 

ସୁଦାମା-

ଛାଡ଼, ଛାଡ଼,ରାଣ୍ଡେ ତୁମ ଭାଣ୍ଡ କଥା ନୁହେଁ ମୁଁ ଭାଣ୍ଡୁଆ ମୋରେ ଜଞ୍ଜାଳିବା ବୃଥା ।

 

 

 

ଗୀତ

( ତୋହପହରା ଭାଇ- ବୃତ୍ତେ )

କୁ-କଥା ଉଚ୍ଚାରି ତୁମ୍ଭେ      ଇଜତ ହାରୁଛ ଦାଣ୍ଡେ

ଲଜ୍ଜା ତୁମ୍ଭ ନାହିଁ ପିଣ୍ଡେ ଦୁଦ୍ଦଣ୍ଡୀ କୁଳଟା ।୧।

ତଣ୍ଡକାର ପରି ତୁମ୍ଭେ       ଦଣ୍ଡଛୁ କିଆଁଲୋ ଦମ୍ଭେ

ବାରଦାଣ୍ଡ ବୁଲା ଆମ୍ଭେ ହାଣ୍ଡିଖିଆ କୁତା ।୨।

 

 

ମାୟାକାମିନୀ -

ଗୀତ

କହ ଏ କି ବିପରୀତ      ଇଜତ ନୋହିବ ହତ

ଶକ୍ତି କାର ବିଧିଲେଖା ଅନ୍ୟଥାକରଣ । ୩ ।

 

 

 

ବୁଝିଲୁ ବୁଝିଲୁ, ଦ୍ୱିଜ; ନାହିଁ ତୁମ୍ଭ ତହିଁ ତିଳେ ମାତ୍ର ପୁରୁଷତ୍ଵ ତେଜ ।

 

 

ସୁଦାମା-

ଆଲୋ ମାଆମାନେ । କି ନିମନ୍ତେ ବୃଥାରେ ଦେଉଅଛ ଏତେ ଲାଜ, ସୁମତି ବ୍ୟତୀତ ଆନ କାରେ ମୁଁ ନ ଜାଣେ ।

 

 

ମାୟାକାମିନୀ-

ଦ୍ୱିଜବର ଯାଆନ୍ତୁ କୁଶଳେ, ଛଳକରି କଳିବାକୁ ଆସିଥିଲୁ ତୁମ୍ଭମତି, ମାତ୍ର ପରାଜିତ ସକଳେ ଆମ୍ଭେ ତୁମ୍ଭ ସମକ୍ଷରେ । ଅଚିରେ ଲଭିବ ତୁମ୍ଭେ ଅକ୍ଷୟ ଧନ-ପୌରୁଷ ।

 

 

ସୁଦାମା-

ଭଗବନ୍‌ ! ଏ ପର୍ଯ୍ୟନ୍ତ କ’ଣ ଏ ସୁଦାମାର ଅନ୍ତରର କଥା ଜାଣି ପାରି ନାହଁ । ତହିଁରେ ପୁଣି ଏତେ ପରୀକ୍ଷା, ଲୀଳାମୟର ଲୀଳା ଆଲୌକିକ, ତାକୁ ବୁଝିବା ଶକ୍ତି କା’ର ।

————————

 

ଷଷ୍ଠ ଦୃଶ୍ୟ

( ସୁମତିର ଦ୍ୱାରଦେଶରେ ଦୁଇଜଣ ସିପାହୀ )

୧ମ ସିପାହୀ-

ହା ଜେ ଭୟା, ତୁମ୍‌ ଲୋକ୍‌କା ପାଶ୍‌ ଗଞ୍ଜାଉଞ୍ଜା ହଏ ଏକ୍‌ ଚିଲମ ଲଗାଓତୋ ?

 

 

୨ୟ ସିପାହୀ-

ଜି, ଥୋଡ଼ାଭର୍‌ ହାଏ, ପଇସା ଦେକେ ଏକ୍‌ ଆଦ୍‌ମି ଭେଜେଥେଁ ଓ ନେଇଁ ଲାୟା, ବୋଲା ଅବକାରିକା ଦାରୋଗା ଆଜ୍‌ ହିଆଁକା ଦୋକାନ୍‌ ଇନିସ୍ପେକ୍‌ସନ୍‌ କରତି ହେଁ ବୋଲ୍‌କେ ମାଲ୍‌ ମିଲା ନେଇଁ ।

 

 

୧ମ ସିପାହୀ-

ହୋଏ ଇସିମେ ଅବି କାମ ଇଞ୍ଜାମ କରଲେଙ୍ଗେ, ପିଛେ କୋଇ ଆଦମିକୁ ଏ ବସ୍ତିକୁ ଭେଜେଙ୍ଗେ, ହିଆ କୋନ ଛିପାକେ ବିକ୍ରି କରତା ବୋଲ୍‌କେ ଶୁନାଥା ।

 

 

୨ୟ ସିପାହୀ-

ଜୀ, ଓତ ସଚିକାତ୍‌; ଲେକିନ୍‌ ଓ ଶାଲାବି ପକ୍‌ଡ଼ାଗିଆ ।

 

 

୧ମ ସିପାହୀ-

କେସା ପକ୍‌ଡ଼ା ହୁଆ ।

 

 

୨ୟ ସିପାହୀ-

ଯେତ୍‌ନା ଉଅକ୍ତ ଦାରୋଗା ସାହେବ ଦୋକାନ ପର୍‌ ଉଠେ ଓତ୍‌ନା ଘଡ଼ି ଦେକାନ୍‌ପର ନେଇଁଥା, ବାକି ବୁକର୍‌ ଆଦାୟ କର୍‌ନେ ବାହାର ଗିଆଥା, ଉସ୍‌କା ଛୋକରା ଦୋକାନ୍‌ ପର୍‌ ଥା ।

 

 

୧ମ ସିପାହୀ-

ଇସ୍‌କେ ବାଦ୍‌ କ୍ୟା ହୁଆ ।

 

 

୨ୟ ସିପାହୀ-

ଦାରୋଗା ସାହେବ ଛୋକ୍‌ରାକୁ ଧମକ୍‌ ଚମକ୍‌ ଦେକେ ପୁଚ୍ଛ୍‌ନେସେ ଓ ବେ ଆଦବ୍‌ ଛୋକ୍‌ରା ସବ୍‌ ସାଫ୍‌ ସାଫ୍‌ ବୋଲଦିଆ । ଲେକିନ୍‌ ଦାରୋଗା ସାହେବ ବହୁତ ଆଛି ମିଜାଜ୍‌ କି ଆଦମି ବୋଲକେ ଉନ୍‌ଲୋକୋଁସେ ପାଞ୍ଚ ପାଞ୍ଚ ରୁପେୟା ଜୋରିମାନା ଲେକେ ତାକିଦ୍‌ କର୍‌କେ ଛୋଡ଼ଦିଆ, ବୋଲା ଫିର୍‌ ଯବ ଔର୍‌ କବି ଏସା ମାମଲତ ଦେଖେଁ ୟା ଶୁନେ ତବ୍‌ କ୍ୟା ହୋଗା ସମଝ୍‌ ଲୋଗେ ।

 

 

୧ମ ସିପାହୀ-

ଓତୋ ସରକାର ରାୟେକୁ ବଜାୟ କିଆ ଏତୋ ଠିକ୍‌ ବାତ୍‌ ଲେକିନ୍‌ କେତେନା ବୁଢ଼ା ଆଦମୀକୁ ତକ୍‌ଲିଫ୍‌ ଆଗୟା, ଦୋକାନ ହିଁଆସେ କୋଇ ଏକ ମାଇଲ ତଫାତ୍‌ମେ ।

 

 

୨ୟ ସିପାହୀ-

କ୍ୟା କର୍‌ନାହେ, କୋଇତରୋଁ ସେ ଗୁଜୁରାନ୍‌ ମିଟେଗା ।

 

 

ସୁଦାମା-

(ସ୍ୱଗତ) ହଁ, ଏଇ ଗୋଟାକ ତ ମୋର ନିଜର ଗ୍ରାମ । ଏଠାକୁ ପୋଖରୀ ହୁଡ଼ା ଦିଶୁଛି ଓ ମୋର ରୋପିତ ସେହି ମନ୍ଦାର ଓ ବକୁଳ ବୃକ୍ଷ ଦୁଇଟି ମୋ ଘରର ପରିଚୟ ଦେଉଛି । ତେବେ କାହିଁ ମୋର ସୁମତି କାହିଁ, ସେ ତ ମୋତେ ଦେଖିଲାକ୍ଷଣି ଦୌଡ଼ି ଆସନ୍ତାଣି । ଏଠି କୋଠା କାହୁଁ ଆସିଲା । ହଉ ପଚାରିଲେ ଜଣାଯିବ ହେ ଭାଇ ! ଏଠି ସୁଦାମା ବ୍ରାହ୍ମଣର ଘର କିଏ କହି ପାରିବେ କି ?

 

 

୨ୟ ସିପାହୀ-

କୋନ୍‌ ଚିଲାତା ହାଏ, କ୍ୟା ଚିଜ, ଅବିକୁଛ ନେଇଁ ଚଲୋ ।

 

 

ସୁଦାମା-

ନା ଭାଇ ଏଠି କାହାର ଘର ?

 

 

୧ମ ସିପାହୀ-

କ୍ୟା, କ୍ୟା, ଭାଡ଼ାଘର ?

 

 

୨ୟ ସିପାହୀ-

ନେଇ, ନେଇ, ଉସ୍‌କା ଭାଡ଼ାଘର ସେ କ୍ୟା ଜରୁରତ କ୍ୟା ଧରମଶାଲା ? ଏଇ ଗଡ଼ାକମେ ଥୋଡ଼ି ଦୂର ବଡ଼ଯାଅ ବାହି ବାଜୁମେ ହାଏ ।

 

 

ସୁଦାମା-

ନା, ନା, ଭାଇ ! ସୁଦାମା ବ୍ରାହ୍ମଣ ଘର ।

 

 

୧ମ ସିପାହୀ-

ଓକେ ନହାଏଗା, ଲେକିନ୍‌ ହମ୍‌ ଉନ୍‌କୁ ଜାନ୍‌ନ୍ତେ ନେହିଁ ।

 

 

ସୁଦାମା-

ତେବେ ଏ ଘର କାହାର ? ମୋ ଘର ତ ଏଠି ଥିଲା ।

 

 

୨ୟ ସିପାହୀ-

ହୋ ପାଗଲ ଆଦମୀ, କ୍ୟା ବୋଲତା ହଏ । ଏ ତୁମାରା ଘର ହଏ, ଏତ ଏକ ବଡ଼ା ଶେଠଜୀକା ବନାୟା ହୁଆ ହାଏ, ହିଁଆପର ରାନିଜୀ ରହିତେ ହେଁ, ଓ ବହୁତ କଡ଼ା ମିଜାଜ୍‌କି ଆପ୍‌ ହିଁଆପର୍‌ କୋଇ ତରୋଁକା ହଲା ମତ୍‌ ଲଗାଓ, ଚଲୋ ।

 

 

ସୁଦାମା-

(ସ୍ୱଗତ) ଏ କ’ଣ ମୁଁ ସୁପ୍ତ ନା ଜାଗ୍ରତ, ତେବେ ଏ କି ପରିବର୍ତ୍ତନ (ପ୍ରକାଶ୍ୟେ) ଭାଇ ! ମୁଁ ପାଗଳ ହେଲେ ହେଲା, ତମ ରାଣୀଜୀଙ୍କ ନାମ ।

 

 

୧ମ ସିପାହୀ-

କୈସା ବେଆଦବ ଆଦ୍‌ମୀ ପଣ୍ଡିତ୍‌ଜୀ, ଆପ୍‌ତୋ କୁଛ୍‌ ଲେନେକୋ ଆୟେ, ଉନ୍‌କା ନାମ୍‌ସେ ଆପ୍‌କା କ୍ୟା ଜରୁରତ୍‌ ଏସା କରକେ ମତ୍‌ ବୋଲୋ ।

 

 

୨ୟ ସିପାହୀ-

ନେଇ ଭାଇ ଓ ପଣ୍ଡିତ ଆଦିମ କୋଇ ତରକ ପାଠ ଉଟ ବନକେ କୁଛ ଲେନେକୁ ଆୟା, ଆଚ୍ଛ ପଣ୍ଡିତଜୀ ଆପ୍‌ କ୍ୟା କ୍ୟା ପୁଛତେ ହେଁ ପୁଛୋଁ, ହାମରା ରାନିଜିକା ନାମ ଶ୍ରୀମତୀ ସୁମତି ।

 

 

ସୁଦାମା-

(ସ୍ୱଗତ) ନାମଟା ମିଳିଲା; ତେବେ ଏଠି କେହି ପୁରୁଷ ନାହାନ୍ତି ।

 

 

୨ୟ ସିପାହୀ-

ଓ ଆଦିମ ହରଘଡ଼ି ହିଆ ରହତେ ନେଇ, କବି କବି ଛିପ୍‌କେ ଯାନା ଆନା କରତେ ହେଁ ।

 

 

ସୁଦାମା-

ଆଉ ସନ୍ଦେହର କାରଣ କିଛି ନାହିଁ । ସୁମତି କେବଳ ଅର୍ଥଲୋଭରେ ପର ପୁରୁଷର ଆଶ୍ରୟ ଗ୍ରହଣ କରିଛି । ଆଉ ଏ ସ୍ଥାନରେ ରହିବି ନାହିଁ । ଆଚ୍ଛା କେବେ ସେ ପୁରୁଷଙ୍କୁ ଦେଖିଛୁକି ?

 

 

୧ମ ସିପାହୀ-

କବି ଉନକୁ ଆଖଁପର ଦେଖନାଇ, ଲେକିନ୍‌ ଶୁନା ଓ ଆଦିମ କାଲା ହୋଇର, ଠାକୁରଜି ତୁମ ଭାଗୋ ଭାଗୋ, ଏଇ ଦେଖୋ ରାନିଜୀକା ଲେଉଣ୍ଡୀ କାଏ ଇସପର ଆତିହାଏ, ଭାଗୋ !

 

 

ସୁଦାମା-

ହଁ ଯାଉଛି । (ପ୍ରତ୍ୟାବର୍ତ୍ତନ)

 

 

 

(ସୁମତି ଓ ଦାସୀ)

ସୁମତି-

ଦାସୀ, ନାଥ ଆମ୍ଭର ଘର-ଦ୍ୱାର ଚିହ୍ନି ନ ପାରି ହାଉଳା ହେଉଛନ୍ତି, ଯିବୁଟି ଡାକି ଆଣିବୁ ।

 

 

 

(ଦାସୀମାନଙ୍କ ପଥ ଓଗାଳିବା)

ସୁଦାମା-

ଏ କ’ଣ ସେହି ଜଙ୍ଗଲର ମାୟା କାମିନୀ ହେବେ କି ? ମୁଁ ତ କିଛି ବୁଝିପାରୁ ନାହିଁ-

 

 

ଦାସୀ-

ମଣିମା-ମଣିମା, କ’ଣ ଗୋଟାଏ ଭାବୁଛନ୍ତି, ଆସନ୍ତୁ ଉଆସକୁ ଆସନ୍ତୁ, ଏ ଯେ ଆପଣଙ୍କ ଘର, କୁଆଡ଼େ ଯାଉଛନ୍ତି ?

 

 

ସୁଦାମା-

(ସ୍ୱଗତ) ଏ ତ ସୁମତି ନୁହେଁ, କି ତା ପାଟି ପରି ଶୁଭୁ ନାହିଁ । ଏ ନିଶ୍ଚୟ ମାୟା । (ପ୍ରକାଶ୍ୟେ) ବରାଙ୍ଗନେ ! କି ନିମନ୍ତେ ଏ ଦରିଦ୍ର ବ୍ରାହ୍ମଣ ସହିତ ଅଳି ଲଗାଉଛ ? ମୋଠାରୁ କିଛି ପାଇ ପାରିବା ଆଶା ତ୍ୟାଗ କର, ମୁଁ ସେପରି ରସିକ ନୁହେଁ ।

 

 

ଦାସୀ-

ଏ ତ ଯାଉ ନାହାନ୍ତି ମୁଁ କ’ଣ କରିବି ।

 

 

 

(ସୁମତି ସୁଦାମାକୁ ଧରି ପକାଇ)

ସୁଦାମା-

ରାଣ୍ଡୀ ! ଛୁଇଁ ପକାଇଲୁ, ଆମେ ତ ସେମିତିକିଆ ରସିକ ନୋହୁ ।

 

 

ସୁମତି-

(ପଦ ବନ୍ଦନା କରିବା) ନ ହୋଇଥିଲେ ଆଜି ଟିକିଏ ହୋଇଯିବ ଆସ । ତମପରି ଲୋକ ନ ହେଲେ ପଇସା ଦେବ କିଏ !

 

 

ସୁଦାମା-

ମଲିରେ ବାପା, ୟା ମୁହଁ ତ ଶାଣଦିଆ, ହେ ତମେ ମୋତେ ଛାଡ଼ିଦିଅ ।

 

 

 

ଗୀତ

(ପରିହର ରାଜପୁରୀ- ବୃତ୍ତେ)

ରେ ବାଳା ନବଛଇଳା

ତୁ ମୋତେ ଆଉ ବଳାନା

କଳକଣ୍ଠୀ ଖଳକଥା

କହି ମୋତେ ଜଳାନା ।୦।

 

 

 

ସୁମତି ! ମୁଁ ବୁଝିଛି, ବେଶ୍‌ ବୁଝିଛି, ଆଉ ବୁଝିବାକୁ ନାହିଁ, ତୁ ପର ପୁରୁଷ ଆଶ୍ରୟ ନେଇଛୁ, ଆଉ ମୋତେ କିଛି କହନା ।

 

 

ସୁମତି-

ହଁ ଯେଉଁ ପୁରୁଷ ଆଶ୍ରୟ ନେଇଛି ସେ ତମକୁ ଡାକୁଛନ୍ତି ଆସ ।

 

 

ସୁଦାମା-

(ଗୀତ)

କୁଳମାନ ତୁ ତେଜିଲୁ

ବିଟ ପୁରୁଷେ ମଜ୍ଜିଲୁ

ଧର୍ମାଧର୍ମ ପଛକଥା ନ ହେଜିଲୁ

ମୂଢ଼ା ମୋତେ ଭଳାନା ।

 

 

ସୁମତି-

ସେ ଶଠ ପୁରୁଷଟି ତମେ ପଠାଇଥିଲ ପରା ? ତାଙ୍କୁ ଚିହ୍ନି ନାହଁ, ଆସ ଦେଖିବ ଭିତରକୁ ଆସ ।

 

 

ସୁଦାମା-

(ଗୀତ)

କାହିଁଗଲା ମୋ କୁଟୀର

ଏ କୋଠା ଅଟେ କାହାର,

ଅବସନ୍ଧି ତୁଟା ମୋର

ନ ପାଉଛି କଳନା ॥

 

 

 

ଆଚ୍ଛା ସୁମତି ! ମୋର ସେହି କୁଡ଼ିଆ ଗଲା, ଏଠି ଏ କୋଠାଟି କାହାର ?

 

 

ସୁମତି-

ନାଥ ! ମିଥ୍ୟା ନୁହେ, ଏ ସବୁ ଆପଣଙ୍କର କୃତ୍ୟ ।

 

 

ସୁଦାମା-

କ’ଣ କହିଲୁ, ଏ ସବୁ ସଖାଙ୍କ କୃତ୍ୟ, ତେବେ କିପରି ?

 

 

ସୁମତି-

ନାଥ ! ଦିନେ ସନ୍ଧ୍ୟା ସମୟରେ ଅଧୀନା ଆପଣଙ୍କୁ ନ ଦେଖି ପ୍ରାଣ ବିସର୍ଜନ ନିମିତ୍ତ ପୋଖରୀତୁଠରେ ଥିବା ସମୟରେ ଘନ ଚିକ୍‌କଣ ଶ୍ୟାମଳକାୟ ଏକ ଭାରୁଆ ଯୁବକ ନାନପ୍ରକାର ସରଞ୍ଜାମର ଭାର ଆପଣଙ୍କ ହାତ ଲେଖା ତାଲିକା ସହିତ ଆଣି ଦେଇଗଲେ ଓ ତହିଁର ପୂର୍ବରୁ ଏକ ସନ୍ନ୍ୟାସିନୀ ଆସି ରାତିକି ରହି ଯାହା ଦେଇ ଯାଇଅଛନ୍ତି ତାହା ଖାଇଲେ ସରିବ ନାହିଁ ।

 

 

ସୁଦାମା-

ବୁଝିଲି, ଏଥିରେ ଲବେ ମାତ୍ର ସନ୍ଦେହ ନାହିଁ । ଅନ୍ତର୍ଯ୍ୟାମୀ ନାଥ ନହେଲେ କି ଅନ୍ତର କଥା ଜାଣନ୍ତେ । ସୁମତି ! ତୁ ସେହି ଜଗନ୍ମାତା ଓ ଜଗତ୍‌ ପିତାଙ୍କୁ ପାଇ ଚରଣ ବନ୍ଦନା କରି ପାରିଲୁ ନାହିଁ ।

 

 

ସୁମତି-

ନାଥ ! ମୁଁ ତାଙ୍କୁ ଚିହ୍ନିବି ବା କାହୁଁ । ସେ ଭାଗ୍ୟ ଅଧୀନାର କାହିଁ ?

 

 

ସୁଦାମା-

ତେବେ କ’ଣ ସେ ନାହାନ୍ତି ?

 

 

ସୁମତି-

ହଁ ନାଥ ! ସେ ଯେ ଆପଣଙ୍କର ଅପେକ୍ଷାରେ ଅଛନ୍ତି ।

 

 

ସୁଦାମା-

ସୁମତି ! ତୁ ବଡ଼ ଭାଗ୍ୟବତୀ, ମୁଁ ଏତେ ପଥଶ୍ରମ କରି ଯାଇ ଦର୍ଶନ ପାଇଲି । ପୁଣି ମୁନି ଋଷିଗଣ ଯୁଗାବଧି ଦର୍ଶନ ନିମିତ୍ତ ତପସ୍ୟା କରି ସୁଦ୍ଧା ଦର୍ଶନ ପାଆନ୍ତି ନାହିଁ । ତୁ ଆଜି ତାଙ୍କୁ ଘରେ ବାନ୍ଧି ରଖିଛୁ । ତୁ ସାମାନ୍ୟ ରମଣୀ ନୋହୁ; ସେ କାହାନ୍ତି ମୋତେ ଦେଖା ।

 

 

 

(ସୁଦାମା ଓ ସୁମତି ହାତ ଧରାଧରି ହୋଇ ଶ୍ରୀକୃଷ୍ଣଙ୍କ ନିକଟେ ଯିବା)

ସୁଦାମା-

(କୃଷ୍ଣଙ୍କୁ ଅଭିବାଦନ କରି)

 

 

ଶ୍ରୀକୃଷ୍ଣ-

(କୋଳକରି) ଆସ, ସଖା ଏବେ ତ ମନସ୍କାମନା ପୂର୍ଣ୍ଣ ହେଲା ?

 

 

ସୁଦାମା-

ପ୍ରଭୋ ! ମୋତେ ତ ବେଶ୍‌ ଠକାଟାଏ ଠକିଦେଲେ । ଏ ସବୁ ମୋର କଣ ହେବ, ଆପଣ ଫେରାଇ ନିଅନ୍ତୁ, ମୁଁ ଏ ଦ୍ୱନ୍ଦରେ ପଶି ପାରିବି ନାହିଁ ।

 

 

ଶ୍ରୀକୃଷ୍ଣ-

ସଖା କିଛି ଭୟ କରନା, ଏ ସମ୍ପତ୍ତି ଦୀନ ଦରିଦ୍ର ଲାଗି । ତୁମେ କେବଳ ଭଣ୍ଡାରଘରିଆ । ଆସ ସଖା, ଏ ସିଂହାସନକୁ ଆସ (ସୁମତି ପ୍ରତି) ସଖି ! ଆସ ତୁମ୍ଭ ଦୁହିଁଙ୍କୁ ସିଂହାସନରେ ବସାଇ ଧନ୍ୟ ହେବି ।

 

 

ସୁମତି-

ତୁମ୍ଭ ସଖାଙ୍କୁ ବୁଝାଅ, ତୁମ୍ଭ ସଖାଙ୍କୁ ବସାଅ, ମୋର ସିଂହାସନରେ କି ଲୋଡ଼ା ।

 

 

ରୁକ୍ମିଣୀ-

ହଇ ହେ ! ମୋତେ ଅତିଥି କରି ଗୃହରେ ରଖି ସେଦିନ ଜଳରେ ଝାମ୍ପ ଦେବାକୁ ଯାଇ ଥିଲ କାହିଁକି ଭଲା ?

 

 

ସୁମତି-

ଭଣ୍ଡେଇବା କଥା ତ, ଘରେ କଡ଼ାଏ କଉଡ଼ି ନ ଥିଲା । ଅତିଥିକୁ ଉପବାସ ରଖାଇବା ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ମନେ କଲି ।

 

 

ରୁକ୍ମିଣୀ-

ତେବେ ଏ ସମ୍ପତ୍ତି ଆଜିଠାରୁ ଭୋଗ କର । ତେବେ କେତେବେଳେ ଅତିଥି ନିରାଶ ହେବାର ଚିନ୍ତା ନ ଥିବ ।

 

 

ସୁଦାମା-

ସଖା ! ତୁମ୍ଭ କଥାରେ ମୁଁ ଅବାଧ୍ୟ ହେବି ନାହିଁ; କିନ୍ତୁ ଏତିକି ଆଜ୍ଞା ହେଉ ଚିରକାଳ ମୋର ଆପଣଙ୍କ ପ୍ରସାଦ-ପଦ ଭରଷା ।

 

 

 

(ଶ୍ରୀକୃଷ୍ଣ ଓ ରୁକ୍ମିଣୀ, ସୁଦାମା ଓ ସୁମତି ସିହାଂସନରେ ବସାଇବା ସମୟରେ ଉପରୁ ପୁଷ୍ପବୃଷ୍ଟି )

 

(ଜବନିକା ପତନ)

 

————————